ଫିରିଙ୍ଗିଆ ଥାନା ପୋଡି ମାମଲାରେ ନିଲମ୍ବିତ ଥାନା ଅଧିକାରୀ, ୨ ହୋମଗାର୍ଡଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ମାମଲା ରୁଜୁ, ୨୮ରେ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ | News Room Odisha

ଫିରିଙ୍ଗିଆ ଥାନା ପୋଡି ମାମଲାରେ ନିଲମ୍ବିତ ଥାନା ଅଧିକାରୀ, ୨ ହୋମଗାର୍ଡଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ମାମଲା ରୁଜୁ, ୨୮ରେ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଗାଡି ଓଡି- ୦୫ଏସ -୧୭୯୯ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଓ ଏଥିରେ ପୂର୍ବତନ ଥାନା ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ ଓ ପରେ ଥାନା ପୋଡ଼ାଜଳା, ଭଙ୍ଗାରୁଜା ହୋଇଥିଲା। ଆଉ ସେହି ମାମଲାରେ ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହାକ, ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର ନାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି l ସେମାନଙ୍କ ବିରୁଦ୍ଧରେ କେସ ନମ୍ୱର ୧୪୩/୨୦୨୩ରେ ଆଇପିସିର ଧାରା ୩୪୨/୩୨୩/୩୪, ସହିତ ୨୫/୨୮/୨୯ ଏନ୍ ଡି ପି ଏସ ଆକ୍ଟ ଏବଂ ୨୯ ପୋଲିସ ଆକ୍ଟରେ ମାମଲା ରୁଜୁ ହୋଇଛି l

ଫଳସ୍ୱରୂପ ଆସନ୍ତାକାଲି କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିବା ବିଷୟ ମିଳିତ ମଞ୍ଚ ପକ୍ଷରୁ ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି l

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ହୋମଗାର୍ଡ ଦୁଇଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା ଓ ପରେ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ l ଏବେ ଏହି ମାମଲାର ତଦନ୍ତ ଡିଏସପି ହୋମଗାର୍ଡ ଏ. କେ ନାୟକ କରିବେ ବୋଲି କୁହାଯାଇଛି l

ତେବେ ଏହି ସମ୍ବେଦନଶୀଳ ଘଟଣାରେ ଫୁଲବାଣୀ କୁଇ ସମାଜ ସେବା ସମିତି, ମିଳିତ ନାଗରିକ ମଞ୍ଚ ଭଳି ବିଭିନ୍ନ ସଙ୍ଗଠନ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ପୂର୍ବତନ ଥାନା ଅଧିକାରୀ ନାହାକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ ଦାବି କରାଯାଇଥିଲା l

କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ୨୮ ତାରିଖରେ ଶୋଭାଯାତ୍ରା, ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏସବୁକୁ ଦୃଷ୍ଟିରେ ରଖି ଅତିରିକ୍ତ ଏସପି ଲଳିତ କୁମାର ପଟ୍ଟନାୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ l