ମିଶନ୍ ଶକ୍ତିର ପ୍ରେରଣା ଗଞ୍ଜାମରୁ ମିଳିଥିଲା, ଆଜି ମହାଦ୍ରୁମ ପାଲଟିଛି | News Room Odisha

ମିଶନ୍ ଶକ୍ତିର ପ୍ରେରଣା ଗଞ୍ଜାମରୁ ମିଳିଥିଲା, ଆଜି ମହାଦ୍ରୁମ ପାଲଟିଛି

ବ୍ରହ୍ମପୁର: ଗଞ୍ଜାମ ମାଟିରୁ ମିଶନ୍ ଶକ୍ତି କାର୍ଯ୍ୟ ସକାଶେ ପ୍ରେରଣା ମିଳିଥିଲା। ଗଛ ତଳେ କିଛି ମହିଳାଙ୍କୁ ଏକାଠି କରି ଆଲୋଚନାରୁ ଆରମ୍ଭ ହୋଇଥିଲା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍‌ଜି) ଗଠନ ପ୍ରକ୍ରିୟା। ଧିରେ ଧିରେ ଏହା ଏତେମାତ୍ରାରେ ବ୍ୟାପିଥିଲା ଯେ ଏଠି ମିଶନ୍ ଶକ୍ତି ଗଠନର ମୂଳଦୁଆ ପଡ଼ିଥିଲା। ଉଲ୍ଲେଖନୀୟ ଭାବେ ଏହିପରି ଚିନ୍ତାଧାରାର ସ୍ରଷ୍ଟା ଥିଲେ ବର୍ତ୍ତମାନର ୫ଟି ସଚିବ ତଥା ତତ୍‌କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି. କେ.ପାଣ୍ଡିଆନ। ପ୍ରଥମେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଥିଲା। କିଛି କିଛି ଅର୍ଥ ବିନିଯୋଗରେ ମହିଳା ଏସ୍ଏଚ୍‌ଜି ଗଠନ ପ୍ରକ୍ରିୟାକୁ ଉତ୍ସାହିତ କରିଥିଲେ ପାଣ୍ଡିଆନ।

ଯେଉଁ ଲକ୍ଷ୍ୟ ନେଇ ସେ ଗଞ୍ଜାମ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ ତାହା ଆଜି ଏକ ମିଶନ୍‌ରେ ପରିଣତ ହୋଇଛି। ନାରୀ ସଶକ୍ତୀକରଣର ମହାଦ୍ରୁମ ପାଲଟିଛି। ମହିଳା ଓ ସେମାନଙ୍କ ପରିବାରର ଆର୍ଥିକ ବିକାଶ ସହ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ମାର୍ଗପ୍ରଶସ୍ତ କରାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ଏବେ ୩୧ ହଜାରରୁ ଊର୍ଦ୍ଧ୍ବ ମହିଳା ସଂଘ ଗଠିତ ହୋଇସାରିଲାଣି।ବ୍ୟାଙ୍କମାନଙ୍କ ଜରିଆରେ ୧୧ ହଜାର ୧୧୩ କୋଟି ଟଙ୍କାର ଋଣ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାକ୍ରମେ ରାଜ୍ୟର ସର୍ବତ୍ର ମହିଳାମାନେ ଘରର ଚାରି କାନ୍ଥରୁ ବାହାରି ବିଭିନ୍ନ କାର୍ଯ୍ୟ କରୁଛନ୍ତି। ସହରାଞ୍ଚଳରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବା ମୁକ୍ତା ଯୋଜନାକୁ ସଫଳତା ଆଣିବାରେ ଏମାନଙ୍କ ରହିଛି ଏକ ମହତ୍ତ୍ୱପୂର୍ଣ ଭୂମିକା। ପାଇପ୍ ପାଣି ଟିକସ ହେଉ କି ବିଦ୍ୟୁତ୍ ବିଲ୍ ଆଦାୟ, ଆହାର କେନ୍ଦ୍ର ହେଉ ବା କାଫେ ପରିଚାଳନା, ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ବ ଅଥବା ଆବର୍ଜନା ସଂଗ୍ରହ ଓ ପରିଚାଳନା ଏସବୁ ଦାୟିତ୍ଵ ସୁରୁଖୁରୁରେ ତୁଲାଇ ଆସୁଛନ୍ତି ରାଜ୍ୟର ମହିଳା। ମିଶନ୍ ଶକ୍ତି ସଦସ୍ୟାମାନେ ଏବେ ରାଜ୍ୟର ଅର୍ଥିକ ପ୍ରଗତିରେ ଆଖିଦୃଶିଆ ଭାଗିଦାରୀ ଯୋଡ଼ି ପାରିଛନ୍ତି। ତଦନୁସାରେ ରାଜ୍ୟ ସରକାର ମହିଳାମାନଙ୍କୁ ଅଗ୍ରାଧିକାର ଦେଇ ମିଶନ୍ ଶକ୍ତିରେ ଯୋଡ଼ିବାରେ ଲାଗିଛି। କାରଣ ମହିଳାମାନେ ସଶକ୍ତ ହେଲେ ରାଜ୍ୟ ମଜବୁତ୍ ଓ ବିକଶିତ ହେବ। ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଏହି ଚିନ୍ତାଧାରା ଆଜି ସାରା ଦେଶରେ ଏକ ରୋଲ୍ ମଡେଲ୍ ପାଲଟିଛି। ୫ଟି ସଚିବ ଗଞ୍ଜାମରେ ଜିଲ୍ଲାପାଳ ଥିବା ବେଳେ ଆରମ୍ଭ କରିଥିବା ପ୍ରୟାସ ବାସ୍ତବରେ ପରିବର୍ତ୍ତନର ଏକ ମାଇଲଖୁଣ୍ଟ ସାଜିଛି।

ତତ୍କାଳୀନ ଜିଲ୍ଲାପାଳ ପାଣ୍ଡିଆନଙ୍କ ପ୍ରୟାସକ୍ରମେ ଏସ୍ଏଚ୍‌ଜି ବ୍ଲକ୍‌ସ୍ତରୀୟ ଫେଡେରେସନ୍ ଗଠନ ଦିଗରେ ଗଞ୍ଜାମ ଜିଲ୍ଲା ଥିଲା ପଥପ୍ରଦର୍ଶକ। ତୃଣମୂଳସ୍ତରରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦୃଢ଼ୀକରଣ ଓ ନାରୀ ନେତୃତ୍ଵ ବିକାଶରେ ଏହା ବେଶ୍ ସହାୟକ ହୋଇଛି। ପରେ ଏହା ରାଜ୍ୟର ସମସ୍ତ ବ୍ଲକ୍‌ସ୍ତରରେ କାର୍ଯ୍ୟକାରୀ ହୋଇଛି। ରାଜ୍ୟର ୭୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଆଜି ମିଶନ୍ ଶକ୍ତି ଆନ୍ଦୋଳନର ଅଂଶବିଶେଷ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଓ ଜନସାଧାରଣଙ୍କ ଅକୁଣ୍ଠ ବିଶ୍ବାସ ଯୋଗୁଁ ଏଭଳି ବୃହତ୍ କାର୍ଯ୍ୟ ଆଜି ଲକ୍ଷାଧିକ ମହିଳାମାନଙ୍କ ନିକଟରେ ପହଞ୍ଚିବା ସମ୍ଭବପର ହୋଇଛି।