ଧାରା ୩୭୦ ଉପରେ ଶୁଣାଣି ପରେ ଅଧ୍ୟାପକଙ୍କୁ କାହିଁକି ନିଲମ୍ବିତ କରାଗଲା ? କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ | News Room Odisha

ଧାରା ୩୭୦ ଉପରେ ଶୁଣାଣି ପରେ ଅଧ୍ୟାପକଙ୍କୁ କାହିଁକି ନିଲମ୍ବିତ କରାଗଲା ? କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇଥିବା ଜମ୍ମୁର ଅଧ୍ୟାପକ ଜାଫୁର ଅହମ୍ମଦ ଭଟ୍ଟଙ୍କ ନିଲମ୍ବନ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି।ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ଅଧ୍ୟାପକଙ୍କ ନିଲମ୍ବନ ଉପରେ ପ୍ରଶ୍ନ କରିଛନ୍ତି । ଗତ ସପ୍ତାହରେ ଶୁଣାଣି ସମୟରେ ଜାଫୁର ଅହମ୍ମଦ ଭଟ୍ଟ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ।

ବରିଷ୍ଠ ଓକିଲ କପିଲ ସିବଲ ଅଧ୍ୟାପକଙ୍କ ନିଲମ୍ବନ ପ୍ରସଙ୍ଗ କୋର୍ଟରେ ଉଠାଇଥିଲେ । ସିବଲ କହିଥିଲେ ଯେ ଭଟ୍ଟ କୋର୍ଟରେ ହାଜର ହେବା ପାଇଁ ଦୁଇ ଦିନ ଛୁଟି ନେଇଥିଲେ, କିନ୍ତୁ ସେ ଫେରିବା କ୍ଷଣି ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ଠିକ୍ ନୁହେଁ ବୋଲି ସିବଲ କହିଥିଲେ ।

ନିଲମ୍ବନ ସହ ଜଡିତ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ।

ଏସଜି ତୁଷାର ମେହେଟ୍ଟା କହିଛନ୍ତି, ‘ମୁଁ ଖବର କାଗଜରୁ ଅଧ୍ୟାପକଙ୍କ ନିଲମ୍ବନ ବିଷୟ ଜାଣିଲି । ଖବରକାଗଜରେ ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ସତ ହୋଇନପାରେ | ଅନ୍ୟାନ୍ୟ ସମସ୍ୟା ମଧ୍ୟ ଥାଇପାରେ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଆଡଭୋକେଟ ଜେନେରାଲ ଆର୍ ଭେଙ୍କଟାରମଣିଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ କ’ଣ ପ୍ରକୃତରେ ହୋଇଛି ଦେଖିବାକୁ କହିଛନ୍ତି । କୋର୍ଟରେ ହାଜର ହେବା ପରେ ଅଧ୍ୟାପକଙ୍କୁ କାହିଁକି ନିଲମ୍ବନ କରାଯାଇଛି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ଓଓ।

ଅଧ୍ୟାପକ ଜାଫୁର ଅହମ୍ମଦ ଭଟ୍ଟ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଯେଉଁଭଳି ଉଚ୍ଛେଦ କରାଗଲା ତାହା ଉପରେ ପ୍ରଶ୍ନ ଉଠାଇଥିଲେ। ଛାତ୍ରମାନଙ୍କୁ ଭାରତୀୟ ସମ୍ବିଧାନ ଏବଂ ଗଣତନ୍ତ୍ର ପଢ଼ାଇବାରେ ସେ ଅସହଜ ମନେ କରୁଛନ୍ତି । ସେ କୋର୍ଟଙ୍କୁ କହିଥିଲେ, ‘ଯେତେବେଳେ ଆମେ ଜମ୍ମୁ କାଶ୍ମୀରର ଛାତ୍ରମାନଙ୍କୁ ସମ୍ବିଧାନ ବିଷୟରେ ପଢ଼ାଉଛୁ, ମୋ ଭଳି ଜଣେ ଶିକ୍ଷକଙ୍କ ପାଇଁ ଏହା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହେଉଛି । ଛାତ୍ରମାନେ ବେଳେବେଳେ ବହୁତ ଜଟିଳ ପ୍ରଶ୍ନ ପଚାରୁଛନ୍ତି | ଉଦାହରଣ ସ୍ୱରୂପ, ଅଗଷ୍ଟ ୫, ୨୦୧୯ରେ ଯାହା ଘଟିଲା, ତାହା ପରେ ବି ଗଣତନ୍ତ୍ର ଅଛି ବୋଲି ଆମେ କହିପାରିବା କି? ଭଟ୍ଟ କହିଛନ୍ତି- ଏଭଳି ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ବର୍ତ୍ତମାନ ବହୁତ କଷ୍ଟକର ହୋଇପଡିଛି |