ଦିଲ୍ଲୀ ଅବକାରୀ ଦୁର୍ନୀତି : ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ | News Room Odisha

ଦିଲ୍ଲୀ ଅବକାରୀ ଦୁର୍ନୀତି : ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଓ ହୋଟେଲ ଚେନ୍ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ଇଡିର ସହାୟକ ନିର୍ଦ୍ଦେଶକ ପୱନ ଖତ୍ରି, ଏକ ଲୋକପ୍ରିୟ ହୋଟେଲ ଚେନ୍ ମୁଖ୍ୟ ବିକ୍ରମାଦିତ୍ୟ ସିଂହ ଏବଂ ଏୟାର ଇଣ୍ଡିଆର କର୍ମଚାରୀ ଦୀପକ ସାଙ୍ଗୱାନଙ୍କ ନାମ ରହିଛି।

ଦିଲ୍ଲୀର ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଇଡି ତଦନ୍ତ କରୁଛି। ଏଥିରେ ଅମନଦୀପ ସିଂ ଧଲ ମଧ୍ୟ ଜଣେ ଅଭିଯୁକ୍ତ। ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କୁ ଇଡି ଗିରଫ କରିଥିଲା। ହେଲେ ଅମନଦୀପ ସିଂ ଧଲଙ୍କୁ ଖସାଇବା ପାଇଁ ପୱନ ଖତ୍ରି ଏବଂ ନୀତୀଶ କୋହର ନାମକ ଜଣେ କିରାଣୀ ୫ କୋଟି ଟଙ୍କା ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଖୋଦ୍ ଇଡି ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁଯାୟୀ, ଧଲ ଏବଂ ତାଙ୍କ ବାପା ବୀରେନ୍ଦ୍ର ପାଲ ସିଂ ଇଡି ଅଧିକାରୀଙ୍କୁ କହିଛନ୍ତି ଯେ ଧଲଙ୍କ ବିରୋଧରେ ମାମଲା ରଫାଦଫା କରିବାରେ ସାହାଯ୍ୟ କରିବାକୁ ସେମାନେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବୀଣ ବତ୍ସଙ୍କୁ ଡିସେମ୍ବର ୨୦୨୨ ରୁ ଜାନୁୟାରୀ ୨୦୨୩ ମଧ୍ୟରେ ୫ କୋଟି ଟଙ୍କା ଦେଇଥିଲେ।  ଅଗଷ୍ଟ ୭ରେ ସିବିଆଇକୁ ଦେଇଥିବା ଅଭିଯୋଗରେ ଇଡି କହିଥିଲା ଯେ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଧଲଙ୍କ ଠାରୁ ପ୍ରବୀଣ ବତ୍ସ ଏବଂ ଏୟାର ଇଣ୍ଡିଆର କର୍ମଚାରୀ ଦୀପକ ସାଙ୍ଗୱାନ ପୱନ ଖତ୍ରିଙ୍କ ମାଧ୍ୟମରେ  ଏହି ଟଙ୍କା ନେଇଥିଲ ।

ଇଡି ଅଭିଯୋଗ ଅନୁଯାୟୀ ବତ୍ସ କହିଥିଲେ ଯେ ଧଲଙ୍କଠାରୁ ମିଳିଥିବା ଲାଞ୍ଚରୁ ୫୦ ଲକ୍ଷ ଟଙ୍କା ସେମାନଙ୍କ ଦାବି ଅନୁଯାୟୀ ସାଙ୍ଗୱାନ୍ ଏବଂ ଖତ୍ରିଙ୍କୁ ଡିସେମ୍ବର ମଧ୍ୟଭାଗରେ ଦିଆଯାଇଥିଲା। ତେବେ ଚଳିତ ବର୍ଷ ମାର୍ଚ୍ଚରେ ଧଲଙ୍କୁ ଗିରଫ କରାଯାଇଥିବାରୁ ତାଙ୍କ ବାପା ଟଙ୍କା ଫେରସ୍ତ କରିବାକୁ ଦାବି କରିଥିଲେ। ବତ୍ସ କହିଛନ୍ତି ଯେ ଜୁନ୍ ୨୯ରେ ଖତ୍ରିଙ୍କ ଉପସ୍ଥିତିରେ ତାଙ୍କୁ ୧ କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ବିକ୍ରମାଦିତ୍ୟ ସିଂହ ତାଙ୍କ ବୟାନରେ କହିଛନ୍ତି, ଅମନଦୀପ ସିଂ ଧଲ ତାଙ୍କୁ ସାହାଯ୍ୟ ମାଗିଥିଲେ ଓ ସେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ।

ଇଡିର ଅଭିଯୋଗ ପରେ ସିବିଆଇ ଲାଞ୍ଚ ନେବା ଅଭିଯୋଗରେ ଇଡିର ସହକାରୀ ଅଧିକାରୀ ଖତ୍ରିଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।