୨୪ ଘଣ୍ଟାରେ ଦୁଃଖ ବୁଝି ସହାୟତା ଯୋଗାଇଦେଲେ ମୁଖ୍ୟମନ୍ତ୍ରୀ | News Room Odisha

୨୪ ଘଣ୍ଟାରେ ଦୁଃଖ ବୁଝି ସହାୟତା ଯୋଗାଇଦେଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର: ଜନ ଅଭିଯୋଗ ଶୁଣାଣିରେ ନିଜ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜରିଆରେ ଦୁଇଗୋଟି ବିନମ୍ର ନିବେଦନ ପାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଆଡ଼ପଡ଼ା ପଞ୍ଚାୟତ ମାହିଗୁଡ଼ା ଗ୍ରାମର ସୁଦର୍ଶନ ଲେଙ୍କା ଏବଂ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗ୍ରାମର ବଳରାମ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜର ଦୁରାବସ୍ଥା ସମ୍ପର୍କରେ ଗୁହାରି ଶୁଣାଇଥିଲେ।

ଲମ୍ବା ସମୟ ଧରି ରୋଗରେ ପୀଡ଼ିତ ରହି ଶଯ୍ୟାଶାୟୀ ଥିଲେ ଉଭୟ ବ୍ୟକ୍ତି । ଘରର ଆର୍ଥିକ ଅନାଟନ ଉତ୍ତମ ଚିକିତ୍ସାରେ ବାଧକ ସାଜିଥିଲା। ପରିବାର ଲୋକ ଚାହୁଁଥିଲେ ସରକାର ଚିକିତ୍ସା ପାଇଁ କିଛି ବ୍ୟବସ୍ଥା କରନ୍ତୁ ଅଥବା ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେଲେ ସେମାନେ ବେଶ୍ ଉପକୃତ ହୋଇପାରନ୍ତେ। ସେଥିପାଇଁ ସାନଖେମୁଣ୍ଡିରେ ଜନ ଅଭିଯୋଗ ଶୁଣାଣି ବେଳେ ଦୁହିଁଙ୍କ ପରିବାର ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନପତ୍ର ପ୍ରଦାନ କରିଥିଲେ। ଆଉ କିଛି ଭଲ ହେବ ବୋଲି ମନରେ ଦୃଢ଼ ଆଶା ରଖିଥିଲେ।

ସେମାନଙ୍କ ଆଶା ଠାରୁ ଅଧିକ ବେଗରେ ମିଳିଥିଲା ସଫଳତା। ଆବେଦନ ପାଇବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ସୁଦର୍ଶନ ଓ ବଳରାମଙ୍କ ପରିବାରକୁ ମିଳିଛି ୩୦ ହଜାର ଟଙ୍କା ଲେଖାଏଁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦୁଇ ଶଯ୍ୟାଶାୟୀଙ୍କୁ ଚିକିତ୍ସା ବାବଦ ସହାୟତା ରାଶି ପ୍ରଦାନ କରାଯାଇଛି। ସେମାନଙ୍କ ଦୁଃଖକଷ୍ଟ ବାବଦରେ ଜାଣିପାରିବା ସହ ଯଥାଶୀଘ୍ର ସହାୟତା ପ୍ରଦାନର ବ୍ୟବସ୍ଥା କରିଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ସନ୍ଧ୍ୟାରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ ଏବଂ ତହସିଲଦାର ଡ. ଶ୍ରୀନିବାସ ବେହେରା ମାହିଗୁଡ଼ା ଗ୍ରାମ ଓ ନିସ୍ତିପୁର ଗ୍ରାମକୁ ଯାଇ ଉଭୟଙ୍କ ଘରେ ପହଞ୍ଚି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଏବେ ଦୁହିଁଙ୍କ ଉତ୍ତମ ଚିକିତ୍ସା ହୋଇପାରିବାର ବାଟ ଖୋଲିଛି।