ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଗହ୍ମା ଡିଆଁ ପ୍ରତିଯୋଗିତା | News Room Odisha

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଗହ୍ମା ଡିଆଁ ପ୍ରତିଯୋଗିତା

ବ୍ରହ୍ମପୁର: କୃଷିଭିତ୍ତିକ ନିଆରା ପର୍ବ ଯେଉଁଥିରେ ସମାଜର ବିଭିନ୍ନ ବର୍ଗର ଲୋକେ ନିଜକୁ ଜଡ଼ିତ ରଖିଥାନ୍ତି ତାହା ହେଉଛି ଗହ୍ମା ପୂର୍ଣ୍ଣିମା। ଚାଷୀ, ପୁରୋହିତ, ଯୁବ ଗୋଷ୍ଠୀ ଆଦି ଏହି ପର୍ବରେ ସାମିଲ ହୋଇଥାନ୍ତି। ଏମିତି ଏକ ଉତ୍ସବ ଯେଉଁଠି ପଶୁମାନଙ୍କୁ ମଧ୍ୟ ଠାକୁରଙ୍କ ଅବତାର ବିଚାର କରି ପୂଜା କରାଯାଏ। ଜୀବନ ଜୀବିକା ପାଇଁ ଲୋଡ଼ା ପଡୁଥିବା ଉପକରଣକୁ ପୂଜା କରାଯାଏ। ପୁଣି ଯେଉଁଠି ପ୍ରତିଯୋଗିତାରେ ନିଜକୁ ଯୁବକମାନେ ସମ୍ପୃକ୍ତ କରିଥାନ୍ତି। ଗହ୍ମା ପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲାର ଗାଁ ଗାଁରେ ଆୟୋଜିତ ହୋଇଥାଏ ଗହ୍ମା ଡିଆଁ ପ୍ରତିଯୋଗିତା।

ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ତିଥିରେ ଗୋଟିଏ ପଟେ ବୋଲବମ୍ ଭକ୍ତମାନେ ଚଳିତ ବର୍ଷର ଶେଷ ଥର ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି। ସୁଦୂରରୁ ଚାଲି ଚାଲି ଜଳଭର୍ତ୍ତି କୁମ୍ଭକୁ କାନ୍ଧରେ ବୋହି ଆଣି ପ୍ରଭୁ ଶିବଙ୍କ ଲିଙ୍ଗରେ ଜଳ ଢାଳି ପୂଜା କରିଥାନ୍ତି। ସେପଟେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ଏହି ଦିନ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଏ। ଗାଈଗୋରୁଙ୍କୁ ଗାଧୋଇ ସେମାନଙ୍କ ମୁଣ୍ଡରେ ହଳଦୀ ସିନ୍ଦୁର ଲଗାଇ ଓ ଶିଙ୍ଗରେ ରାକ୍ଷୀ ବାନ୍ଧି ଗୋମାତାକୁ ପିଠା ଓ ଉତ୍ତମ ଖାଦ୍ୟ ଖାଇବାକୁ ଦିଆଯାଇ ଥାଏ । ଏହି ତିଥିରେ ପ୍ରଭୁ ବଳଭଦ୍ର ଗହ୍ମାସୁରକୁ ନିପାତ କରି ଧରିତ୍ରୀକୁ ଅସୁର କବଳରୁ ଉଦ୍ଧାର କରିଥିବା ବିଶ୍ବାସ ରହିଛି। ଏହି ତିଥିରେ ପୁରୋହିତମାନେ ବିଭିନ୍ନ ଗ୍ରାମ ବୁଲି ପୁରୁଷମାନଙ୍କୁ ଅଭିମନ୍ତ୍ରିତ ପଇତା ପ୍ରଦାନ କରିଥାନ୍ତି। ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳିଥାଏ ବୋଲି ମଧ୍ୟ ବିଶ୍ଵାସ କରନ୍ତି ଶ୍ରଦ୍ଧାଳୁ। ସେହିପରି ସମସ୍ତ ଚାଷବାସ କାମ ସାରିଥିବା କୃଷକ ଏହି ଦିନ ହଳ ଲଙ୍ଗଳ ଧୋଇ ସଫା କରିବା ସହ ଠାକୁର ବଳଭଦ୍ରଙ୍କ ଆଗରେ ତାହାକୁ ରଖି ପୂଜାର୍ଚ୍ଚନା କରିଥାଏ।

ଗହ୍ମା ପୂର୍ଣ୍ଣିମାରେ ଗହ୍ମାସୁର ବଧକୁ ମନେ ପକାଇ କେଉଁ ଆବାହମାନ କାଳରୁ ଗହ୍ମା ଡିଆଁ ଉତ୍ସବ ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ। ଗଞ୍ଜାମ ଜିଲ୍ଲାରେ ଏହି ଗହ୍ମା ଡିଆଁ ଖେଳ ଏକ ପ୍ରାଚୀନ ପରମ୍ପରା ଅଟେ। ଯୁବକମାନେ ଗାଁକୁ ଗାଁ ବୁଲି ଗହ୍ମା ଡେଇଁବା ସାଙ୍ଗକୁ ଅନେକ ପୁରସ୍କାର ଜିତି ଖୁସି ମନାଇଥାନ୍ତି। ବେଶ୍ କିଛି ଦିନ ଆଗରୁ ଘାସ ଲାଗିଥିବା ମାଟିକୁ ଜମିରୁ ବାହାର କରି ଆଣି ଗହ୍ମା ଡିଆଁ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ତାକୁ ପ୍ରଥମେ ମଣିଷ ଉଚ୍ଚରେ ରଖାଯାଏ। ତାପରେ ମାଟି ସମତଳ ପର୍ଯ୍ୟନ୍ତ ପ୍ରାୟ ୧୦ ଫୁଟ ଯାଏଁ ଦୌଡ଼ିବା ତଥା ଡେଇଁବା ପ୍ଲାଟ୍‌ଫର୍ମକୁ ଅତି ମଜବୁତ ଭାବେ ତିଆରି କରାଯାଇ ଥାଏ। ଗହ୍ମା ଆଗରେ ପ୍ରାୟ ୧୫ ଫୁଟ ଯାଏଁ ମାଟି କାଟି ଫୁଟେ ବହଳରେ ବାଲି ପକାଯାଏ। ଯାହାଦ୍ଵାରା କି ଡେଇଁ ସେଠାରେ ପଡ଼ିବା ସତ୍ତ୍ବେ ଯୁବକମାନଙ୍କୁ କୌଣସି ଆଘାତ ଲାଗି ନଥାଏ। ଡିଆଁକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ପ୍ରତିଯୋଗୀଙ୍କ ଉତ୍ସାହ ବୃଦ୍ଧି ଦୃଷ୍ଟିରୁ ବିଭିନ୍ନ ଖାଦ୍ୟ, ଘରକରଣା ଓ ଦାମୀକା ସାମଗ୍ରୀ ଟଙ୍ଗାଯାଇ ଥାଏ। ଯେଉଁ ପ୍ରତିଯୋଗୀ ଗହ୍ମା ଡେଇଁବା ସହ ଯେଉଁ ସାମଗ୍ରୀକୁ ଛୁଇଁଥାନ୍ତି ସେହି ଜିନିଷ ଉକ୍ତ ଯୁବକଙ୍କୁ ଉପହାର ଆକାରରେ ଦେଇ ଦିଆଯାଏ। ଯଦିଓ ସମୟ ବଦଳିବା ସହ ଆଜିର ବ୍ୟସ୍ତବହୁଳ ଓ ଡିଜିଟାଲ୍ ଯୁଗରେ ଧିରେ ଧିରେ
ଏହି ପରମ୍ପରା ହ୍ରାସ ପାଇଚାଲିଛି। ତଥାପି ଅନେକ ଗାଁଗହଳ ସମେତ ସହରରେ ମଧ୍ୟ ଏହି ପରମ୍ପରା ତିଷ୍ଠି ରହିଛି। ଏହି ପର୍ବ ପାରମ୍ପରିକ ଲୋକ ସଂସ୍କୃତି ଆମର ମୌଳିକତାକୁ ଦର୍ଶାଇ ଆସୁଛି।