ନୃସିଂହନାଥ ମନ୍ଦିରରୁ ଦାନବକ୍ସ ଚୋରି ଘଟଣା, ସାତ ଦିନ ମଧ୍ୟରେ ଚୋର ଗିରଫ | News Room Odisha

ନୃସିଂହନାଥ ମନ୍ଦିରରୁ ଦାନବକ୍ସ ଚୋରି ଘଟଣା, ସାତ ଦିନ ମଧ୍ୟରେ ଚୋର ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଦାନବାକ୍ସ ଚୋରି ଘଟଣାରେ ପାଇକମାଳ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଜଣକ ବରଗଡ ଜିଲ୍ଲା ପ୍ରଧାନପାଲିର ସୁଶାନ୍ତ ପ୍ରଧାନ (୪୦) ବୋଲି ସୂଚନା ମିଳିଛି । ତାକୁ ବୁଡେନ ଥାନା ଦହିଗାଁରୁ ଗିରଫ କରିଛି ପାଇକମାଳ ପୋଲିସ । ଅଭିଯୁକ୍ତ ସୁଶାନ୍ତ ଠାରୁ ଚୋରି ହୋଇଥିବା ନଗଦ ୫ ହଜାର ଟଙ୍କା ଉଦ୍ଧାର କରିଥିବା ବେଳେ ତାକୁ ଆଜି ଅପରାହ୍ନରେ ପଦ୍ମପୁର କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପଦ୍ମପୁର ଜେଲକୁ ପଠାଇ ଦିଆଯାଇଛି ।

ପ୍ରକାଶ ଥାଉକି, ଗତ ୨୨ତାରିଖ ରାତିରେ ମନ୍ଦିର ଚୋରି ହୋଇଥିଲା । ଏନେଇ ସକାଳେ ଅର୍ଥାତ ୨୩ ତାରିଖ ପୂଜକ ନୀତିକାନ୍ତି ପାଇଁ ମନ୍ଦିର ଆସିଥିବା ବେଳେ ହୁଣ୍ଡି ତାଲା ଭଙ୍ଗା ହୋଇଥିବା ସହ ଟଙ୍କା ତକ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ମନ୍ଦିର ପ୍ରଶାସନ କମିଟିକୁ ଅବଗତ କରିବା ପରେ ପାଇକମାଳ ଥାନାରେ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା ।

ଅନ୍ୟପଟେ ଦିନକୁ ଦିନ ପଦ୍ମପୁର ସବ୍ ଡିଭିଜନର ସୀମାବର୍ତ୍ତି ଅଞ୍ଚଳ ତଥା ପାଇକମାଳ ଅଞ୍ଚଳରେ ଚୋରିର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବାରୁ ବ୍ୟାପକ ପୋଲିସ ମୁତୟନ ସହିତ ବିଭିନ୍ନ ସ୍ଥାନରେ ଚୋକ୍ ପୋଷ୍ଟ କରାଯାଇ ବାହ୍ୟ ଯାନବାହନ ଚଳାଚଳ ଉପରେ ଯାଞ୍ଚ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।