ଶ୍ରାବଣ ମାସ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ଏହି ତିଥିରେ ଶେଷ ନାଗଙ୍କ ଅବତାର ଭଗବାନ ବଳଭଦ୍ର ବା ବଳରାମଙ୍କ ଜନ୍ମ । ଦ୍ଵାପର ଯୁଗରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା ରୂପେ ଜଗତରେ ପ୍ରକଟ ହୋଇଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିରେ ବଳରାମଙ୍କୁ ବଳଭଦ୍ର ନାମରେ ପୂଜା କରାଯାଇଥାଏ । ବସୁଦେବଙ୍କ ଔରସରୁ ରୋହିଣୀଙ୍କ ଗର୍ଭରୁ ବଳରାମ ଜାତ ହୋଇଥିଲେ।
ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଦିନ ବଳରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ବଳରାମଙ୍କ ବିବାହ ରେବତ ରାଜାଙ୍କ କନ୍ୟା ରେବତୀଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁତ୍ର ଥିଲେ ନିଶଠ ଏବଂ ଉଲ୍ଲୁକ । ବଳରାମ ଥିଲେ ଭଗବାନ ବିଷ୍ଣୁଙ୍କ ସେବକ ଶେଷନାଗଙ୍କ ଅବତାର । ସେ ହଳଧର, ହଳୟୁଦ୍ଧ, ସଂକର୍ଷଣ ଆଦି ନାମରେ ମଧ୍ୟ ପ୍ରସିଦ୍ଧ । ବଳରାମଙ୍କ ପରାକ୍ରମ ସମ୍ବନ୍ଧରେ ପୁରାଣରେ ବର୍ଣ୍ଣନା ରହିଛି । ଗଦା ଯୁଦ୍ଧରେ ସେ ପ୍ରବୀଣ ଥିଲେ । ଦୁର୍ଯ୍ୟୋଧନ ତାଙ୍କ ଠାରୁ ଗଦା ଯୁଦ୍ଧ ଶିକ୍ଷା ଲାଭ କରି ଥିଲେ । ବଳରାମ ଅନେକ ଥର ଜରାସନ୍ଧକୁ ଯୁଦ୍ଧରେ ହରାଇ ଦେଇଥିଲେ । ପୁରାଣର ବର୍ଣ୍ଣନା ଅନୁଯାୟୀ, ଦେବକୀ ଏବଂ ବସୁଦେବଙ୍କ ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ହାତରେ ମଥୁରା ରାଜା କଂସ ମୃତ୍ୟୁବରଣ କରିବ ବୋଲି ଆକାଶବାଣୀ ହେଲା । ଏହି ଆକାଶବାଣୀ ଶୁଣିବାପରେ କଂସ ନିଜ ଭଉଣୀ ଦେବକୀ ଏବଂ ଭିଣୋଇ ବସୁଦେବଙ୍କୁ ନେଇ କାରାଗୃହରେ ବନ୍ଦୀ କଲା । ସମୟରେ କ୍ରମେ ଦେବକୀଙ୍କର ଛଅଜଣ ସନ୍ତାନଙ୍କୁ କଂସ ତଳେ କଚାଡ଼ି ମାରିଦେଲା।ଷଷ୍ଠ ଗର୍ଭରେବଳରାମ ଜନ୍ମ ହେବାର ଥିଲା।ତେବେ ସେ ଜନ୍ମ ନେବା ପୂର୍ବରୁ ଶ୍ରୀହରି ବିଷ୍ଣୁ ଯୋଗମାୟାଙ୍କ ସହାୟତାରେ ଦେବକୀଙ୍କ ଗର୍ଭରୁ ବଳରାମଙ୍କୁ ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ।ଦେବକୀଙ୍କ ଗର୍ଭରୁ ତାଙ୍କୁ ଆକର୍ଷଣ କରି ଆଣି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରାଯାଇଥିବାରୁ ବଳରାମଙ୍କ ଅନ୍ୟନାମ ଶଙ୍କର୍ଷଣ ଅଟେ । ବଳରାମଙ୍କ ବିବାହ ରେବତୀଙ୍କ ସହିତ ହୋଇଥିଲା । ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ, ରେବତୀଙ୍କ ଉଚ୍ଚତା ୨୧ ହାତ ଥିଲା । ବଳରାମ ନିଜହଳ ସାହାଯ୍ୟରେ ରେବତୀଙ୍କୁ ଟାଣି ଛୋଟ କରିଦେଇଥିଲେ । ଏହା ପରେ ଦୁହିଁଙ୍କ ବିବାହ ହୋଇଥିଲା।ଓଡ଼ିଶାର ପୁରପଲ୍ଲୀରେବିଭିନ୍ନ ମଠ ମନ୍ଦିରରେ ବିଶେଷକରି ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାନୀତି ହୋଇଥାଏ । ଏହି ଦିନ ଅଗଣିତ ଆଶ୍ରିତମାନେ ସଂଧ୍ୟା ସମୟରେ ବଳଭଦ୍ରଙ୍କ ପବିତ୍ର ଦର୍ଶନ ପୂର୍ବକ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।
ଅନ୍ୟପକ୍ଷରେ ଶ୍ରାବଣ ମାସରେ ପାଳିତ ହେଉଥିବା ପୂର୍ଣ୍ଣିମାକୁ ଗୋ-ପୂର୍ଣ୍ଣିମା ବା ଗହ୍ମା ପୁନେଇଁ ବା ଝୁଲଣ ପୁନିଅଁ ବା ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଉତ୍କଳୀୟ ସଂସ୍କୃତିରେ ଏହି ଦିନକୁ ବଳରାମଙ୍କ ଜନ୍ମ ଦିବସ ଭାବେ ଗ୍ରହଣ କରାଯାଇଛି ।ଏହିଦିନ ବଳରାମଙ୍କ ପ୍ରତୀକ ଭାବେ ଗାଈ-ଗୋରୁମୁଖ୍ୟତଃ ବଳଦମାନଙ୍କୁ ପୂଜା କରାଯାଏ । ଏକଦା ଧନୀ- ଦରିଦ୍ର ନିର୍ବିଶେଷରେ ଗ୍ରାମବାସୀମାନେ ଗାଁର ଶେଷ ମୁଣ୍ଡରେ ମାଟିରେ ବିରାଟକାୟ ସ୍ତୂପ ବା ଗହ୍ମା ବେଦି ତିଆରି କରି ଏବଂ ତାହାକୁ ବଳଦେବ ଭାବେ ଗ୍ରହଣ କରି ପୂଜା କରୁଥିଲେ । ଭୋଗ ସାମଗ୍ରୀ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟାନ କରାଯାଉ ଥିଲା । ପୁଣି ଘରେ ଗରେ ଗାଈ-ଗୋରୁଙ୍କୁ ସ୍ନାନ କରାଇ, ସିନ୍ଦୂର ଚନ୍ଦନାଦି ଲଗାଇ ପୂଜା କରି ଖଜା-ପିଠା ଖାଇବାକୁ ଦିଆଯାଉଥିଲା ।
ପୂର୍ବ କାଳରେ ପାଇକ ପୁଅମାନେ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ମନେକରି ଯୁଦ୍ଧ ବିଦ୍ୟା ଶିକ୍ଷା ଆରମ୍ଭ କରୁଥିଲେ।ଏକ ଉଚ୍ଚସ୍ଥାନରୁ ତଳକୁ ଲମ୍ଫପ୍ରଦାନ କରି ନିଜଶୌର୍ଯ୍ୟକୁ ପ୍ରମାଣିତ କରୁଥିଲେ ଗହ୍ମା-ଡିଆଁ ଏବେବି ବିଭିନ୍ନ ରୂପରେ ଓଡ଼ିଶାର କେତେକ ଅଞ୍ଚଳରେ ତିଷ୍ଠି ରହିଛି । ଆଜିକାଲି ଗହ୍ମା ପୂନେଇଁରେ ଗୋ ପୂଜନ କିଛି ପରିମାଣରେ ଲୋକପ୍ରିୟତା ହରାଇ ଥିବା ଜଣାଯାଏ । ସଂପ୍ରତି ଗୋପୂଜନ ବଦଳରେ ଆମେ ରକ୍ଷା ସୂତ୍ର ବନ୍ଧନକୁ ଅଧିକ ଗୁରୁତ୍ୱ ଦେଉଛେ ।
ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଝୁଲଣ ଯାତ୍ରା ସମାପନ କରାଯାଏ । ଠାକୁରମାନଙ୍କୁ ଦୋଳିରେ ବସାଇ ଝୁଲାଇବା ହେଉଛି ଝୁଲଣ ଯାତ୍ରା । ସାଧାରଣତଃ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଏହି ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୁଏ । ଶ୍ରାବଣ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ଆରମ୍ଭ ହେଉଥିବା ଏହି ଯାତ୍ରା ପୂର୍ଣ୍ଣିମାରେ ଶେଷ ହୁଏ । ପୁରୀ ବଡ଼ ଦେଉଳରେ ଝୁଲଣ ମଣ୍ଡପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧିତ୍ୱ କରିଥାଆନ୍ତି ଶ୍ରୀମଦନମୋହନ । ଏମିତି ଏକାଧିକ ଧାର୍ମିକ ଅନୁଷ୍ଠାନମାନ ପାଳିତ ହେଉ ଥିବାରୁ ଶ୍ରାବଣ ପୂର୍ଣ୍ଣିମା ଆମ ସଂସ୍କୃତିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ସାମ୍ୟ ମୈତ୍ରୀ ଓ ସାଂସ୍କୃତିକ ବାର୍ତା ବହନ କରିଥାଏ