ଜନ୍ମଭୂମିରେ ସ୍ଵଭାଵ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ | News Room Odisha

ଜନ୍ମଭୂମିରେ ସ୍ଵଭାଵ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ବରଗଡ଼: ଗଙ୍ଗାଧର ସାହିତ୍ୟ ପ୍ରକୃତିର ଅପୂର୍ବ ନିଦର୍ଶନ । ପ୍ରତିଟି ଶବ୍ଦରେ ଭରି ରହିଥିଲା ଲାଲିମାର ଗରିମାମୟ ଚେତନା , ଯାହାକି ଭାଷା ଶବ୍ଦକୋଷରେ ବ୍ୟାଖ୍ୟା କରିବା ମହାପ୍ରୟାସ ସହ ସମତୁଲ୍ୟ । ସ୍ବଭାବକବି ଥିଲେ ଅଖଣ୍ତଧାରୀ ପ୍ରଚଣ୍ଡ ପ୍ରତିଭାର ନିଦର୍ଶନ, ପ୍ରକୃତିକୁ ଜୀବନ୍ତ ରୂପରେ ତାଙ୍କ ଲେଖନୀ ମୂନରେ ଚିତ୍ରଣ କରିବାରେ ସେଥିଲେ ଅଗ୍ରଗଣ୍ୟ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅପ୍ରତିଦ୍ବନ୍ଦି ମୂର୍ତ୍ତିମନ୍ତ ମଳୟ ଆବାହନ ବୋଲି ଅତିଥିମାନେ ଆଜିକାର ଗଙ୍ଗାଧର ସାରସ୍ବତ ସଂଧ୍ୟାରେ ମତପୋଷଣ କରିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ୧୬୨ ତମ ଗଙ୍ଗାଧର ମେହେର ଜୟନ୍ତୀ ସମରୋହ ପାଳିତ ହୋଇଛି । ଗୁରୁବାର ସଂଧ୍ୟାରେ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟ ହସ୍ତସନ୍ତ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୁଖ୍ୟବକ୍ତା ଭାବରେ ଡ.ଛାୟାକାନ୍ତ ଷଡଙ୍ଗୀ ଯୋଗଦେଇ କବିଙ୍କୁ ଏକ ସ୍ୱାଧୀ ଚେତନାର ଉର୍ତ୍ସ ଏବଂ ସାଲିସ୍ ବିହୀନ ପ୍ରଚଣ୍ଡ ମାନବିକତାର ମୂର୍ତ୍ତିମନ୍ତ ଏକ ପ୍ରଗାଢ଼ ପୁରୁଷ , ଗଙ୍ଗାଧର ଥିଲେ ପ୍ରଭୁ ଦେବଧିଦେବ ପଶୁପତିଙ୍କ ଏକ ଅଶଂବିଶେଷ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ଦିନେଶ ଗହୀର ଏବଂ ସମ୍ମାନୀ ବକ୍ତା ଭାବରେ ପ୍ରଧାପକ ବବୃବାହନ ମହାପାତ୍ର ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଗଙ୍ଗାଧର କ୍ଲବ ସଭାପତି ଡ. ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସାରସ୍ବତ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଅତିଥିମାନେ କବିଙ୍କ ରଚିତ ପ୍ରଣୟବଲ୍ଲରୀ , କିଚକବଦ୍ଧ , ତପସ୍ବିନୀ ପ୍ରଭୃତି ମହାକାବ୍ୟ ମାନଙ୍କ ମୁଖ୍ୟ କବିତା ଆବୃତି ସହ ସୁନ୍ଦର ଭାବରେ ବକ୍ତବ୍ୟମାନ ଆଲୋକପାତ କରିଥିଲେ । କ୍ଲବ ସଂପାଦକ ଆନନ୍ଦ ମେହେର ପରିଚୟ ପ୍ରଦାନ କରିଥିଲେ ।

ସଭା ପୂର୍ବରୁ ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗିତ ନୃତ୍ଯ ପରିବେଷଣ ହୋଇଥିଲା । ଏହି ଅବସରରେ ଗଙ୍ଗାଧର କ୍ଲବ ପକ୍ଷରୁ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ସହ ସଂପାଦକ ବଳଳିଶୋର ଖାଡାଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।

ପୂର୍ବାହ୍ନ ସମୟରେ ପରିସରରେ ସ୍ଥିତ କବିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପବିତ୍ର ଭାଗବତ ଗୀତାପଠନ କରାଯାଇଥିଲା । ଆୟୋଜିତ ସାରସ୍ବତ ସଭାରେ ବହୁ ଦୂରଦୂରାନ୍ତରୁ ସାହିତ୍ୟନୁରାଗି ଓ ଜ୍ଞାନି ଗୁଣୀ ସଦଜନ ମଣ୍ଡଳୀ ସହିତ କବି କଳାକାର ଓ ସମାଲୋଚକ ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିବେଦନ ଜଣାଇଥିଲେ ।