ବ୍ରହ୍ମପୁରର ୪ ସ୍ବାସ୍ଥ୍ୟକେନ୍ଦ୍ରକୁ ଏନ୍‌କ୍ୟୁଏଏସ୍‌ ପ୍ରମାଣପତ୍ର | News Room Odisha

ବ୍ରହ୍ମପୁରର ୪ ସ୍ବାସ୍ଥ୍ୟକେନ୍ଦ୍ରକୁ ଏନ୍‌କ୍ୟୁଏଏସ୍‌ ପ୍ରମାଣପତ୍ର

ବ୍ରହ୍ମପୁର: ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗରକୁ ଆଉ ଏକ ଉଲ୍ଲେଖନୀୟ ସଫଳତା। ମହାନଗରର ୪ଟି ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)କୁ ମିଳିଛି ସମ୍ମାନଜନକ ଏନ୍‌କ୍ୟୁଏଏସ୍‌ ପ୍ରମାଣପତ୍ର। ଏହି ନ୍ୟାସନାଲ କ୍ବାଲିଟୀ ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (ଜାତୀୟ ଗୁଣାତ୍ମକ ନିଶ୍ଚିତତା ମାପକ) ପ୍ରମାଣପତ୍ର ଦ୍ଵାରା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଉତ୍ତମ ସ୍ବାସ୍ଥ୍ୟ୍ୟସେବାର ପ୍ରମାଣ ଅଟେ। ଏହି ପ୍ରମାଣପତ୍ର ପାଇଥିବା ୪ଟି ୟୁପିଏଚ୍‌ସି ହେଲା ବ୍ରହ୍ମପୁର ଗୁଡସସେଡ୍‌ ରୋଡ୍‌ (୯୪.୨ ଶତକଡ଼ା), ଉତ୍ତରାମୁଖୀ (୯୩.୮ ଶତକଡ଼ା), ବୈକୁଣ୍ଠନଗର (୯୨.୪ ଶତକଡ଼ା) ଓ ଖୋଡାସିଙ୍ଗି (୯୧.୧ ଶତକଡ଼ା)। ଏ ବାବଦରେ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରକୁ କେନ୍ଦ୍ର ସରକାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କାର ଆକାରରେ ମିଳିବ।

ପ୍ରକାଶ ଥାଉକି ବର୍ଦ୍ଧିତ ଜନସଂଖ୍ୟା ଓ ପରିସୀମା ଦୃଷ୍ଟିରୁ ମହାନଗର ତଥା ଉପକଣ୍ଠ ଅଞ୍ଚଳର ଲୋକଙ୍କୁ ଉତ୍ତମ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ବ୍ରହ୍ମପୁରର ବିଭିନ୍ନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ୟୁପିଏଚ୍‌ସି ବିଭିନ୍ନ ସମୟରେ ପୃଥକ୍‌ ପୃଥକ୍‌ ପୁରସ୍କାର ଓ ସମ୍ମାନ ପାଇ ଆସିଛି। ଏଥିପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ, ଏଏନ୍‌ଏମ୍‌, ଏହାର ପରିଚାଳନା ଦିଗରେ ସହଯୋଗୀ ଥିବା ଏନ୍‌ଜିଓ ସମେତ ବ୍ରହ୍ମପୁର ମହାନଗର ମେୟର୍‌, ଡେପୁଟୀ ମେୟର୍‌, ସମସ୍ତ କର୍ପୋରେଟର୍‌, ଗଞ୍ଜାମ ଜିଲ୍ଲାପାଳ, ବିଏମ୍‌ସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି।