ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସଙ୍କ ପ୍ରଦର୍ଶନକୁ ସ୍ୱୀକୃତି: ଆମେରିକୀୟ ମାଗାଜିନ୍ ଦେଲା 'ଏ ପ୍ଲସ' ମାନ୍ୟତା | News Room Odisha

ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସଙ୍କ ପ୍ରଦର୍ଶନକୁ ସ୍ୱୀକୃତି: ଆମେରିକୀୟ ମାଗାଜିନ୍ ଦେଲା ‘ଏ ପ୍ଲସ’ ମାନ୍ୟତା

ମୁମ୍ବାଇ – ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପକ୍ଷରୁ ଶକ୍ତିକାନ୍ତ ଦାସଙ୍କୁ ବିଶ୍ୱ ସ୍ତରରେ ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କର ଭାବେ ସ୍ଵୀକୃତି ମିଳିଛି । ଏକ କେନ୍ଦ୍ରୀୟ ବ୍ୟାଙ୍କ୍ ର ମୁଖିଆ ଭାବେ ତାଙ୍କର ପ୍ରଦର୍ଶନକୁ ‘ଏ ପ୍ଲସ’ ମାନ୍ୟତା ଦେଇଛି ଗ୍ଲୋବାଲ ଫାଇନାନ୍ସ ମାଗାଜିନ। ନିଜର ‘ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ- ୨୦୦୩’ରେ ଶକ୍ତିକାନ୍ତଙ୍କୁ ଏ ପ୍ଲସ ମାନ୍ୟତା ଦେଇଛି ମାଗାଜିନ୍। ଶକ୍ତିକାନ୍ତଙ୍କ ସମେତ ବିଶ୍ବର ତିନି ଜଣ କେନ୍ଦ୍ରୀୟ ବ୍ୟାଙ୍କ୍ ମୁଖ୍ୟଙ୍କୁ ହିଁ ସଂପୃକ୍ତ ମାଗାଜିନ ପକ୍ଷରୁ ଏ ପ୍ଲସ ମାନ୍ୟତା ଦିଆଯାଇଛି। ଆଉ ‘ଏ ପ୍ଲସ’ ତାଲିକାରେ ଶକ୍ତିକାନ୍ତ ଦାସ ସର୍ବାଗ୍ରେ ଅଛନ୍ତି । ଅନ୍ୟ ଦୁଇ ଜଣ ହେଲେ ସୁଇଜରଲ୍ୟାଣ୍ଡ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଥୋମାସ ଜେ.ଜର୍ଡାନ ଓ ଭିଏତନାମ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ଗୁଏନ ଥି ହଙ୍ଗ୍ ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ସଫଳତା, ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ହାସଲ, ମୁଦ୍ରା ସ୍ଥିରତା ଓ ସୁଧା ହାର ପରିଚାଳନା କ୍ଷେତ୍ରରେ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ୍ ମୁଖ୍ୟଙ୍କ ମାନ୍ୟତା ସ୍ଥିର କରାଯାଇଥାଏ। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ‘ଏ ପ୍ଲସ’ ମାନ୍ୟତା ଦିଆଯାଏ ବୋଲି ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ଶକ୍ତିକାନ୍ତ ଦାସଙ୍କୁ ‘ଏ ପ୍ଲସ’ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।