ବିଶାଳଖିଣ୍ଡା ଶାସନ କେନାଲ ଉପରେ ନୂତନ ସେତୁ ନିର୍ମାଣ ଆରମ୍ଭ | News Room Odisha

ବିଶାଳଖିଣ୍ଡା ଶାସନ କେନାଲ ଉପରେ ନୂତନ ସେତୁ ନିର୍ମାଣ ଆରମ୍ଭ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଶାସନ କେନାଲର ବିଶାଳଖିଣ୍ଡା ନିକଟରେ ନୂତନ ସେତୁ ନିର୍ମାଣ ଆରମ୍ଭ ହୋଇଛି। ଏହି ପୁରୁଣା ପୋଲଟି ଦଦରା ଅବସ୍ଥାକୁ ଆସିଥିବା ବେଳେ ଗତ ମାର୍ଚ୍ଚ ୩୦ ତାରିଖରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଯାଇଥିଲା। ଫଳରେ ପ୍ରଶାସନ ତୁରନ୍ତ ଉକ୍ତ ସ୍ଥାନରେ ନୂତନ ପୋଲ ନିର୍ମାଣ କରିବାକୁ ସ୍ଥିର କରି କାମ ଆରମ୍ଭ କରିସାରିଛି।

ମାନେଶ୍ବର ବ୍ଲକର ପରମାଣପୁରରୁ ଶାସନ ପଟକୁ ଆସିବାକୁ ହେଲେ ବିଶାଳଖିଣ୍ଡା ନିକଟରେ କେନାଲ ଉପରେ ଥିବା ନୂତନ ପୋଲ ଦେଇ ଅତିକ୍ରମ କରିବାକୁ ପଡୁଥିଲା। ହେଲେ ବୁଲାଣି ସ୍ଥାନରେ ଥିବା ଏହି ପୋଲରେ ବାରମ୍ବାର ଦୁର୍ଘଟଣା ଘଟୁଥିଲା।
ଗତ ମାର୍ଚ୍ଚ ୩୦ ତାରିଖ ରାତିରେ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ବଡଧରା ଗାଁର ଏକ ବରଯାତ୍ରୀ ଦଳ ମାନେଶ୍ବର ବ୍ଲକର ପରମାଣପୁରକୁ ମାର୍ଚ୍ଚ ୩୦ ତାରିଖ ରାତିରେ ଆସିଥିଲେ। ବରଯାତ୍ରୀ ରୋଷଣୀ ସାରି ଏକ ବୋଲେରୋରେ ୧୧ ଜଣ ଫେରୁଥିବା ବେଳେ ଭାରସାମ୍ଯ ହରାଇ ଗାଡିଟି ତଳକୁ ଖସି ପଡିଥିଲା। ଫଳରେ ଗାଡିରେ ଥିବା ୭ ଜଣ ସଳିଲ ସମାଧି ନେଇଥିଲେ। ତେବେ ଏହି ଘଟଣାର ମାତ୍ର ଦିନକ ପରେ ସେହି ସ୍ଥାନରେ ନୂତନ ପୋଲ ନିର୍ମାଣ ପାଇଁ ପ୍ରଶାସନ ଘୋଷଣା କରିଥିଲା।

୫ କୋଟି ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହାର ନିର୍ମାଣ ଚାଲିଛି। ଆସନ୍ତାବର୍ଷ ମଇ ୧୧ ତାରିଖ ସୁଦ୍ଧା ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଇତିମଧ୍ୟରେ କେନାଲ ତଳୁ ଫାଉଣ୍ଡେସନ୍ ୱାଲ୍ କାମ ବି ଆରମ୍ଭ ହୋଇସାରିଛି। ଆଉ ପୁରୁଣା ପୋଲରୁ ଅନତି ଦୂରରେ ଏହି ସୁଉଚ୍ଚ ପୋଲକୁ ବୁଲାଣୀ ପରିବର୍ତ୍ତେ ସିଧା କରି ନିର୍ମାଣ କରାଯାଉଛି। ଯେମିତିକି ରାସ୍ତାର ଉଭୟ ପଟରୁ ଏହା ସ୍ପଷ୍ଟ ଭାବେ ଗାଡି ଚାଳକଙ୍କୁ ଦୃଶ୍ୟମାନ ହେବ। ଅପରପକ୍ଷେ, ଦୀର୍ଘ ଦଶନ୍ଧି ଧରି ଏହି ପୋଲ ପାଇଁ ଲାଗି ରହିଥିବା ସମସ୍ୟା ବର୍ତ୍ତମାନ ଦୂର ହେବ ବୋଲି ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।