ଆରପାରିରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର | News Room Odisha

ଆରପାରିରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ବର – ବିଜେଡିର ଟାଣୁଆ ନେତା , ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଯାଇଛି। ୭୫ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଗପହଣ୍ଡି ବିଧାୟକ।

ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଆଜି ସନ୍ଧ୍ୟା ୭ଟା ୩୧ରେ ଦେହାନ୍ତ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଆଜି ସନ୍ଧ୍ୟାରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ରାଜନୀତିର ଜଣେ ପୋଖତ ରାଜନେତା ଥିଲେ ସୂର୍ଯ୍ୟନାରାୟଣ ପାତ୍ର। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ ପାତ୍ର। ଛାତ୍ର ଜୀବନରୁ ହିଁ ରାଜନୀତିରେ ସକ୍ରିୟ ଥିଲେ ସୂର୍ଯ୍ୟ ପାତ୍ର । ୧୯୯୦ ମସିହାରେ ସେ ତତ୍କାଳୀନ ଜନତା ଦଳ ଟିକଟରେ ମୋହନାରୁ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ବିଧାୟକ ହେବା ସହ ସେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ବଳ୍ପ କାଳ ଲାଗି ସ୍ଥାନ ପାଇଥିଲେ। ଏହାପରେ ସେ ଜନତା ଦଳ ଟିକଟରେ ପୁଣି ମୋହନାରୁ ଲଢ଼ି ୧୯୯୫ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ରହିଆସିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ସବୁ ପାଳି‌ର ସରକାରରେ ସେ ମନ୍ତ୍ରୀ ହୋଇଥିଲେ। ସେ ରାଜସ୍ବ, ଶକ୍ତି, ଯୋଗାଣ, ପରିବେଶ, ସଂସ୍କୃତି ଓ ସୂଚନା ଲୋକସଂପର୍କ ବିଭାଗର ମନ୍ତ୍ରୀ ରହିଥିଲେ। ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍‌ ୧ରୁ ୨୦୨୨ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଥିଲେ ସୂର୍ଯ୍ୟନାରାୟଣ ପାତ୍ର।