ପଞ୍ଚଭୂତରେ ଲୀନ ହେଲା ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର | News Room Odisha

ପଞ୍ଚଭୂତରେ ଲୀନ ହେଲା ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର

ବ୍ରହ୍ମପୁର: ଓଡ଼ିଶା ରାଜନୀତି ଇତିହାସରେ ଆଉ ଏକ ଯୁଗର ଅବସାନ ଘଟିଛି। ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିରୁ ବିଧାୟକ ଥିବା ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ତାଙ୍କ ଶେଷକୃତ୍ୟ ଦିଗପହଣ୍ଡି ଆର୍‌ଏମ୍‌ସି କପାମଣ୍ଡି ଠାରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ସମ୍ପନ୍ନ ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ତାଙ୍କ ପାର୍ଥିବ ଶରୀରର ସମ୍ପୂର୍ଣ୍ଣ ସରକାରୀ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର କରାଯାଇଛି। ପୁଲିସ ତରଫରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ ପରେ ବଡ଼ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେଇଥିଲେ। ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଜଣାଇଥିଲେ।

ଏହା ପୂର୍ବରୁ ଭୁବନେଶ୍ବରରୁ ବ୍ରହ୍ମପୁର ହୋଇ ଦିଗପହଣ୍ତିକୁ ପାର୍ଥିବ ଶରୀର ଅଣାଯାଇଥିଲା। ବାଟ ସାରା ବହୁ ସମର୍ଥକ, ବିଭିନ୍ନ ଦଳର ନେତା ଓ କର୍ମୀ, ନିର୍ବାଚିତ ପ୍ରତିନିଧିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜପଥରେ ମରଶରୀର ଆସୁଥିବା ବେଳେ ଖଲ୍ଲିକୋଟ, ରମ୍ଭା, ଗଞ୍ଜାମ, ଛତ୍ରପୁର ଆଦି ସ୍ଥାନରେ ବହୁ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରିଥିଲେ। ବ୍ରହ୍ମପୁର ମହାନଗରର ଲାଞ୍ଚିପଲ୍ଲୀ ବାଇପାସ୍‌, କମାପଲ୍ଲୀ, ଟାଟାବେଞ୍ଜ ଛକ, ଖଲ୍ଲିକୋଟ କଲେଜ, ପିଭିଏନ୍‌ ପେଟ୍ରୋଲ ଟାଙ୍କି, ସିଟି ହସପିଟାଲ୍‌, ଗେଟ୍‌ବଜାର, ଆସ୍କା ରୋଡ୍‌ ହୋଇ ଦିଗପହଣ୍ଡିକୁ ମରଶରୀର ନିଆଯାଇଥିଲା। ମହାନଗର ନିଗମ ତଥା ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ତରଫରୁ ପିଭିଏନ୍‌ ପେଟ୍ରୋଲ୍‌ ପମ୍ପ୍ ଛକ ଠାରେ ମହିଳା, ଯୁବ, ଛାତ୍ର ଓ ବରିଷ୍ଠ ନେତୃମଣ୍ଡଳୀ ଏକତ୍ରିତ ହୋଇ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ସହ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ସେହିପରି ଗାନ୍ଧି ନଗର ଛକ ନିକଟ ପୈତୃକ ବାସଭବନ ପାଖରେ ସହରର ବିଭିନ୍ନ ସଙ୍ଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ବିଜେପି ଓ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ଶେଷ ସମ୍ମାନ ଜଣାଇଥିଲେ। ସ୍ବର୍ଗତ ପାତ୍ରଙ୍କ ଶେଷକୃତ୍ୟ ସହ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।