ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରୁଛି ଏସ୍‌ଏଫ୍‌ଏସ୍‌ , ମଧ୍ୟାହ୍ନ ଭୋଜନ ଓ ପୁଷ୍ଟିକର ଉଦ୍ୟାନ  | News Room Odisha

ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରୁଛି ଏସ୍‌ଏଫ୍‌ଏସ୍‌ , ମଧ୍ୟାହ୍ନ ଭୋଜନ ଓ ପୁଷ୍ଟିକର ଉଦ୍ୟାନ 

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ରାଜ୍ୟର ବିଜେଡି ସରକାର ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ତୃଣମୂଳସ୍ତର ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ଲାଗିଛି। ଏଥିରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସମେତ ବିଦ୍ୟାଳୟମାନଙ୍କରେ କାର୍ଯ୍ୟକାରୀ କରାଯାଉଥିବା ମଧ୍ୟାହ୍ନ ଭୋଜନ ତଥା ଏଥିପାଇଁ ଲାଗୁ କରାଯାଇ ଥିବା ପୁଷ୍ଟିକର ଉଦ୍ୟାନ ଏବଂ ପୁଷ୍ଟି ପୁନର୍ବାସ କେନ୍ଦ୍ର ଗୋଟିଏ ଗୋଟିଏ ପ୍ରମୁଖ ଉପାଦାନ ସାଜିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଏ ଦିଗରେ ବେଶ୍‌ ତତ୍ପରତା ପ୍ରକାଶ କରିଥିବା ଜଣାଯାଇଛି। ନିକଟରେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ଯକ୍ଷ ଅବନୀକାନ୍ତ ସାହୁଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ, ଶିକ୍ଷା, ସ୍ବାସ୍ଥ୍ୟ ସାମାଜିକ ସୁରକ୍ଷା, ସମନ୍ଵିତ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନା ଜରିଆରେ ଲୋକଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନିଶ୍ଚିତ କରାଯାଉଛି।

ଖାଦ୍ୟ ନିରାପତ୍ତା ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲା ମଧ୍ଯରୁ ଗଞ୍ଜାମ ଜିଲ୍ଲାରେ ଅଧିକ ହିତାଧିକାରୀ ରହିଛନ୍ତ। ୨୦୧୧ ମସିହା ଜନଗଣନା ଅନୁସାରେ ଗଞ୍ଜାମ ଜିଲ୍ଲାର ଜନସଂଖ୍ୟା ୩୫ ଲକ୍ଷ ୨୯ ହଜାର ୯୪ ଜଣ। ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା (ଏନ୍‌ଏଫ୍‌ଏସ୍‌ )ରେ ୨୫ ଲକ୍ଷ ୮୯୪୦ ଜଣ ଅନ୍ତର୍ଭୁକ୍ତ ଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ଯବସ୍ଫା (ଏସ୍‌ଏଫ୍‌ଏସ୍‌ )ରେ ୩୩୬୦୪ ପରିବାରର ୯୯ ହଜାର ୭୪୩ ଜଣ ଉପକୃତ ହେଉଛନ୍ତି। ନୂତନ ରାସନ୍‌ କାର୍ଡ ସକାଶେ ଗତ ମାର୍ଚ୍ଚ ସୁଦ୍ଧା ୨୩୦୪ ଆବେଦନ ଗ୍ରହଣ କରାଯାଇ ୨୧୦୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛି ଜିଲ୍ଲା ମୁଖ୍ୟ ଯୋଗାଣ ବିଭାଗ। ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ ଅନ୍ତର୍ଗତ ୩୩୦୮୪ଟି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ୩ ଲକ୍ଷ ୪୨ ହଜାର ୫୭୭ ଜଣ ଉପକୃତ ହେଉଛନ୍ତି।

ଜିଲ୍ଲାର ୨୬୧୫ଟି ସ୍କୁଲରେ ଅମୃତଭଣ୍ଡା, କଞ୍ଚାକଦଳୀ ଇତ୍ୟାଦି ପୁଷ୍ଟିକର ପନିପରିବା ଓ ଫଳ ଉଦ୍ୟାନ କରାଯାଇଥିବା ଜିଲ୍ଲା ଶିକ୍ଷା ବିଭାଗରୁ ସୂଚନା ପ୍ରାପ୍ତ ହୋଇଛି। ଗଞ୍ଜାମରେ ରହିଛି ୨୧୪ଟି ପୁଷ୍ଟି ପୁନର୍ବାସ କେନ୍ଦ୍ର। ଏସବୁ କେନ୍ଦ୍ରରେ ପୁଷ୍ଟିହୀନତାର ଶିକାର ଶିଶୁମାନଙ୍କର ଯତ୍ନ ନିଆଯାଉଛି। ସମନ୍ଵିତ ଶିଶୁ ବିକାଶ ଯୋଜନାରେ ପୁଷ୍ଟିକର ଖାଦ୍ୟ, ମୋ ଉପକାରୀ ବଗିଚା, କୁପୋଷଣର ଶିକାର ଶିଶୁଙ୍କ ସୁରକ୍ଷା, ଅଙ୍ଗନବାଡ଼ି କେନ୍ଦ୍ର ଓ ଏହାର ପରିଚାଳନା ଅତି ଭତ୍ତମ ଭାବେ କରାଯାଉଛି।