ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମର ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମର ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର -ଗୁରୁ ଦିବସରେ ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଅସ୍ଥାୟୀ ଭାବରେ ସତ୍ୟବାଦୀ ସ୍ଥିତ ପାନ୍ଥଶାଳାରେ ଆରମ୍ଭ ହୋଇଛି ପାଠପଢା ।

ଆଜି ଅପରାହ୍ଣରେ ପାନ୍ଥଶାଳାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହୋଇଥିଲା । ଗୁରୁ ଦିବସ ଅବସରରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳପତି ଡକ୍ଟର ସବିତା ପ୍ରଧାନ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରମାକାନ୍ତ ନାୟକ, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏଡିଏମଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଓଡ଼ିଆ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଶେଷ ହୋଇଛି । ୩ଟି ବିଭାଗରେ ୭୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଚାଲିଥିବବେଳେ ଆଜିଠାରୁ ଅସ୍ଥାୟୀ ଭାବେ ପାନ୍ଥଶାଳାରେ ଆରମ୍ଭ ହୋଇଛି ପାଠପଢା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜିର ଦିନଟିକୁ ଏକ ଗୌରବମୟ ଦିନ ଭାବରେ ବର୍ଣ୍ଣନା କରିଛନ୍ତି।