ବିଜେପି ଛାଡ଼ିଲେ ସୁଭାଷ ବୋଷଙ୍କ ନାତି | News Room Odisha

ବିଜେପି ଛାଡ଼ିଲେ ସୁଭାଷ ବୋଷଙ୍କ ନାତି

କୋଲକାତା: ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ବୁଧବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ହାଇକମାଣ୍ଡ ନିକଟକୁ ପଠାଇ ଦେଇଛନ୍ତି। ନେତାଜୀଙ୍କ ବିଚାରଧାରାକୁ ଅଣଦେଖା କରାଯାଇଥିବା ଦର୍ଶାଇ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚନ୍ଦ୍ର କୁମାର ବୋଷ ତାଙ୍କ ଇସ୍ତଫା ସମ୍ପର୍କରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ପ୍ରଭାବିତ ହୋଇ ୨୦୧୬ରେ ମୁଁ ବିଜେପିରେ ଯୋଗ ଦେଇଥିଲି । ତେବେ ବିଜେପିରେ ଯୋଗଦେବା ପରେ ମୋର ହୃଦବୋଧ ହୋଇଥିଲା ଯେ ସେମାନେ ଯେଉଁ ରାଜନୀତି କରୁଛନ୍ତି ତାହା ମୋର ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଅନୁରୂପ ନୁହେଁ । ସେ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) ସର୍ବଦା ସାମ୍ପ୍ରଦାୟିକ ତଥା ବିଭାଜନକାରୀ ଶକ୍ତି ବିରୋଧରେ ଲଢୁଥିଲେ।

ଚନ୍ଦ୍ର କୁମାର ବୋଷ ବୋଷ ଲେଖିଛନ୍ତି, ଧର୍ମ, ଜାତି ଓ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ଭାରତୀୟ ଭାବେ ଏକାଠି କରିବା ଓ ନେତାଜୀଙ୍କ ବିଚାରଧାରାକୁ ଆଗେଇ ନେବା ପାଇଁ ବିଜେପି ମଧ୍ୟରେ ଏକ ଆଜାଦ ହିନ୍ଦ ମୋର୍ଚ୍ଚା ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହାକୁ ସମର୍ଥନ ଦଳ ସମର୍ଥନ କରିନଥିଲା । ଯାହା ପରେ ଏହି ଦଳରେ ରହିବା ମୋ ପକ୍ଷେ ଆଉ ସମ୍ଭବ ନଥିଲା ।

ଚନ୍ଦ୍ର କୁମାର ବୋଷ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ କରାଯାଇଥିଲା। ତେବେ ୨୦୨୦ରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା।