ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକ୍‌ରେ ହେବ ସୌରଶକ୍ତିଚାଳିତ ଶୀତଳ ଭଣ୍ଡାର | News Room Odisha

ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକ୍‌ରେ ହେବ ସୌରଶକ୍ତିଚାଳିତ ଶୀତଳ ଭଣ୍ଡାର

ଛତ୍ରପୁର: କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ ତଥା କୃଷକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବଳରାମ ଯୋଜନାରେ ଆର୍ଥିକ ସହାୟତା ସାଙ୍ଗକୁ ବିହନ- ସାର- କୃଷି ଉପକରଣ ନିମନ୍ତେ ସବ୍‌ସିଡି ପ୍ରଦାନ କରୁଛନ୍ତି। ତେବେ କେବଳ ଏତିକି ନୁହେଁ, ଏଥିସହ କୃଷିଜନିତ ଭିତ୍ତିଭୂମି ଯଥା ଜଳସେଚନ ବ୍ୟବସ୍ଥା, ଶୀତଳ ଭଣ୍ଡାର ଆଦିକୁ ମଧ୍ୟ ବ୍ୟାପକ ଓ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି। ଏ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ରହିଛି। ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକ୍‌ରେ କୃଷକଙ୍କ ଫସଲ, ପନିପରିବା, ଫଳ ଆଦି ଗଚ୍ଛିତ ରଖିବାକୁ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ତେବେ ଏହା ସୌରଶକ୍ତିଚାଳିତ ହେବ ଯାହା ପରିବେଶ ଅନୁକୂଳ ସାଙ୍ଗକୁ ମିତବ୍ୟୟୀ ହେବ। ଏଥିପାଇଁ ସମସ୍ତ ବ୍ଲକ୍‌ରେ କାର୍ଯ୍ୟକୁ ଆଗେଇ ନେଉଛି ଉଦ୍ୟାନ କୃଷି ବିଭାଗ। ବର୍ତ୍ତମାନ ଜମି ଚିହ୍ନଟ, ଜମି ହସ୍ତାନ୍ତର, ଟେଣ୍ଡର୍‌ ପ୍ରକ୍ରିୟା ଆଦି ସମ୍ପନ୍ନ କରାଯିବ ଓ ଆସନ୍ତା ଆର୍ଥିକ ବର୍ଷରେ ସୌରଶକ୍ତି ପରିଚାଳିତ କୋଲ୍ଡ୍‌ ଷ୍ଟୋର୍‌ ନିର୍ମାଣ କରାଯିବ। ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତି ବ୍ଲକ୍‌ର ସହକାରୀ ଉଦ୍ୟାନ ବିଭାଗ ଅଧିକାରୀଙ୍କ ଜରିଆରେ ବିଡିଓଙ୍କୁ ଜଣାଇ ସ୍ଥାନ ନିରୂପଣ କରିବା ପାଇଁ କୁହାଯାଇଛି। ଗଞ୍ଜାମ ବ୍ଲକ୍‌ର ମଲାଡ଼ ଏବଂ ଝାରେଡ଼ି ଠାରୁ ବୁରୁଡ଼ି ମଧ୍ଯରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବିଡିଓ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

File Photo

ଏହି ଶୀତଳ ଭଣ୍ଡାରର କ୍ଷମତା ହେବ ୧୦ ମେଟ୍ରିକ୍‌ ଟନ୍‌। ଏଥିପାଇଁ ବ୍ୟୟ ହେବ ୨୫ ଲକ୍ଷ ଟଙ୍କା। ଏହି ଶୀତଳ ଭଣ୍ଡାରରେ ୧୦୦୦ ୟୁନିଟ୍‌ ସୌରଶକ୍ତି ଚାଳିତ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ମୋଟ ବ୍ୟୟ ଅଟକଳରୁ ଜାତୀୟ ଉଦ୍ୟାନ ମିଶନ୍‌ ୫୫ ପ୍ରତିଶତ ଅର୍ଥ ବହନ କରିବାକୁ ଥିବା ବେଳେ ବଳକା ୪୫ ପ୍ରତିଶତ ଅର୍ଥ ସମ୍ପୃକ୍ତ ବ୍ଲକ୍‌ କିମ୍ବା ପଞ୍ଚାୟତ ବହନ କରିବ। ଏଥିସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଆଗେଇ ଚାଲିଛି।