କନ୍ଧମାଳରେ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ... ଏବେ ସେଓ ଚାଷକୁ ଫୋକସ୍‌ | News Room Odisha

କନ୍ଧମାଳରେ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ… ଏବେ ସେଓ ଚାଷକୁ ଫୋକସ୍‌

ଫୁଲବାଣୀ: ପାହାଡ଼, ଜଙ୍ଗଲରେ ସର୍ବାଧିକ ଭୌଗୋଳିକ ଅଞ୍ଚଳ ଘେରି ରହିଥିବା ଦୁର୍ଗମ ଜିଲ୍ଲା କନ୍ଧମାଳରେ ଚାଷ କ୍ଷେତ ଅପେକ୍ଷାକୃତ କମ୍‌ ମାତ୍ରାରେ ରହିଛି। ତେବେ ପାଣିପାଗ ଅନୁକୂଳ ଥିବାରୁ ଏଠାରେ କଫି ଚାଷ ହୋଇପାରୁଥିବା ବେଳେ ଏବେ ଉଦ୍ୟାନ କୃଷିକୁ ଜିଲ୍ଲାରେ ପ୍ରୋତ୍ସାହିତ କରାଯାଉଛି। ନିକଟ ଅତୀତରେ କନ୍ଧମାଳ ଜିଲ୍ଲାରେ ଷ୍ଟ୍ରବେରୀ, ଡ୍ରାଗନ୍‌ ଫୁଟ୍‌ ଚାଷକୁ ଅଧିକ ମାତ୍ରାରେ କରିବା ପାଇଁ କୃଷକଙ୍କୁ ଉତ୍ସାହିତ କରାଯାଇ ଥିଲା। ଏହାଦ୍ଵାରା ଚାଷୀମାନେ ମଧ୍ୟ ନିଜେ ଆର୍ଥିକ ଦୃଷ୍ଟିରୁ ଅଧିକ ସକ୍ଷମ ହୋଇପାରିବେ। ଆଉ ବର୍ତ୍ତମାନ ସେଓ ଚାଷକୁ ନେଇ ଜିଲ୍ଲାରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଜିଲ୍ଲାରେ ପାରମ୍ପରିକ ଚାଷକୁ ଛାଡ଼ି ବିକଳ୍ପ କୃଷି ଉପରେ ଗୁରୁତ୍ବାରୋପ କରାଯାଉଛି। ଏଠାର ମୃତ୍ତିକା ସହିତ ଥଣ୍ଡା ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ବୋଲି ମତ ଦିଅନ୍ତି କୃଷି ବିଶାରଦ। ଏହାକୁ ନଜରରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ଫଳଚାଷ ପାଇଁ ଉଦ୍ୟମକୁ ତ୍ବରାନ୍ସିତ କରାଯାଉଛି। ବିଶେଷ କରି ଫିରିଙ୍ଗିଆ ବ୍ଲକ୍‌ ବନ୍ଧଗଡ଼ସ୍ଥିତ କସମ୍‌ କାର୍ଯ୍ୟାଳୟରେ କାଶ୍ମିରୀ ସେଓ ଏ କ୍ଷେତ୍ରରେ ନୂତନ ଆଶା ସଞ୍ଚାର କରିଛି। ଏଠାରେ ଲାଗିଥିବା ଗଛରେ ଫଳ ଧରିବା ଆରମ୍ଭ ହୋଇଛି।

କସମ୍‌ ସମ୍ପାଦକ ସଞ୍ଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ- ପ୍ରାୟ ୬ ମାସ ତଳେ ହିମାଚଳ ପ୍ରଦେଶରୁ ସେଓ ଚାରା ଆଣି କସମ୍‌ କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇ ଥିଲା। ଏବେ ସେଥିରେ ଉତ୍ତମ ଆକାରର ଫଳ ଆସିଛି। ଫଳ ପାଚିବା ପରେ ଏହାର ଗୁଣାତ୍ମକ ମାନ ଅନୁଧ୍ୟାନ କରି ଏହାକୁ ବ୍ୟବସାୟିକଭିତ୍ତିରେ ଚାଷବାସ ପାଇଁ ଚିନ୍ତା କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଯଥାସମ୍ଭବ ସହାୟତା ଯୋଗାଇଦେବାକୁ ଆଶ୍ଵାସନା ଦେଇଛି। ତେବେ ସାଧାରଣତଃ ପାରମ୍ପରିକ କୃଷି ଭିତରେ ନିଜକୁ ସୀମତ ରଖି ଆସିଥିବା କନ୍ଧମାଳ ଜିଲ୍ଲାର ଚାଷୀ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଅଟନ୍ତି ସେମାନେ ଚାଷବାସରୁ ଉପଯୁକ୍ତ ଲାଭ ପାଇପାରୁ ନାହାନ୍ତି ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ବିଶେଷ ଉନ୍ନତି ଆସିପାରୁନି। ଏଣୁ ଏବେ ଚାଷୀମାନଙ୍କୁ ଅଣପାରମ୍ପରିକ, ବିଶେଷ କରି ଅର୍ଥକାରୀ ଫଳ ଚାଷ ଦିଗରେ ଆକୃଷ୍ଟ କରିବା ପାଇଁ ଯୋଜନା କରାଯାଇଛି। ପୂର୍ବରୁ ଜିଲ୍ଲାରେ ଷ୍ଟ୍ରବେରୀ ଓ ଡ୍ରାଗନ୍‌ ଫ୍ରୁଟ୍‌ ଆଦି ଫଳ ଚାଷ ସଫଳ ହୋଇଥିବାରୁ ଏବେ ସେଓ ଚାଷକୁ ଫୋକସ୍‌ରେ ରଖାଯାଇ ଏହାକୁ ବ୍ୟାପକ କରିବାକୁ ପ୍ରୟାସ ଆରମ୍ଭ କରାଯାଉଛି।