ପାକିସ୍ତାନକୁ ରେକର୍ଡ ୨୨୮ ରନରେ ହରାଇଲା ଭାରତ | News Room Odisha

ପାକିସ୍ତାନକୁ ରେକର୍ଡ ୨୨୮ ରନରେ ହରାଇଲା ଭାରତ

କଲମ୍ବୋ: ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି । ଦିନିକିଆରେ ପାକିସ୍ତାନ ବିପକ୍ଷରେ ଭାରତର ଏହା ସବୁଠାରୁ ବଡ଼ ବିଜୟ (ରନ୍ ବ୍ୟବଧାନରେ) ।

ଏହା ପୂର୍ବରୁ ଏହି ରେକର୍ଡ ୧୪୦ ରନ୍ ଥିଲା, ଯାହା ଭାରତ ୨୦୦୮ରେ ଢାକାରେ ହାସଲ କରିଥିଲା।

କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ଦୁଇ ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହା ମଧ୍ୟ ଦିନିକିଆରେ ପାକିସ୍ତାନ ବିପକ୍ଷରେ ଭାରତର ସବୁଠୁ ବଡ଼ ସ୍କୋର । ଭାରତ ପ୍ରଦତ୍ତ ଏହି ବୃହତ ଟାର୍ଗେଟ ଜବାବରେ ପାକିସ୍ତାନ ଦଳ ୩୧ ଓଭରରେ ୮ ଓ୍ବିକେଟ୍ ହରାଇ ମାତ୍ର ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳର ଦୁଇ ବ୍ୟାଟ୍ସମ୍ୟାନ୍ ଆହତ କାରଣରୁ ବ୍ୟାଟିଂ କରିନଥିଲେ । ଭାରତ ପକ୍ଷରୁ କୁଲଦୀପ ୨୫ ରନ୍ ଦେଇ ସର୍ବାଧିକ ୫ଟି ଓ୍ବିକେଟ୍ ନେଇଥିଲେ । ଦିନିକିଆ କ୍ୟାରିୟରର ୪୭ତମ ଶତକ ହାସଲ କରିଥିବା କୋହଲି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଭାରତ ମଙ୍ଗଳବାର ଶ୍ରୀଲଙ୍କାକୁ ଭେଟିବ।

ପୂର୍ବରୁ ଆଜି ରିଜର୍ଭ ଦିବସରେ ଭାରତ ଅସମାପ୍ତ ସ୍କୋର ୨୪.୧ ଓଭରରେ ୧୪୭/୨ରୁ ଆଗକୁ ଖେଳିଥିବା ବେଳେ ବିରାଟ କୋହଲି ଓ କେଏଲ ରାହୁଲ ପାକିସ୍ତାନୀ ବୋଲରଙ୍କ ଧୂଲେଇ କରିଥିଲେ । ଉଭୟ ଶତକ ମଧ୍ୟ ହାସଲ କରିଥିଲେ। ତୃତୀୟ ୱିକେଟ ପାଇଁ ଉଭୟ ରେକର୍ଡ ବ୍ରେକିଂ ପାର୍ଟନରଶିପ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଥିଲା । ଫଳରେ ପାକିସ୍ତାନକୁ ଏସିଆ କପର ଏହି ସୁପର ୪ ମୁକାବିଲା ଜିତିବା ପାଇଁ ୩୫୭ ରନର ଟାର୍ଗେଟ ମିଳିଛି। ବିରାଟ ଶେଷ ଯାଏ ୯୪ ବଲରେ ୧୨୨ ଓ ରାହୁଲ ୧୦୬ ବଲରେ ୧୧୧ ରନ କରି ଅପରାଜିତ ରହିଥିଲେ। କୋହଲିଙ୍କ ଏହା ଦିନିକିଆ କ୍ୟାରିୟରର ୪୭ତମ ଶତକ ଥିବାବେଳେ ରାହୁଲଙ୍କ ଷଷ୍ଠ ଶତକ ।