କେନ୍ଦ୍ରାପଡା – ପକ୍ଷୀ ବିହାର ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ ହେବା ପରେ ଖୁସି ଖବର ମିଳିଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତବର୍ଷଠାରୁ ବୃଦ୍ଧି ପାଇଥିବା ଗଣନାରୁ ଜଣାପଡିଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ଭିଡ ଜମାଇଥିଲେ । ଏ ବର୍ଷ ଏହି ସଂଖ୍ୟା ୧,୨୩,୮୬୭କୁ ବୃଦ୍ଧି ପାଇଥିବା ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ଏହି ମାସ ୩ ତାରିଖରୁ ୭ ତାରିଖ ଯାଏ ଭିତରକନିକାର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ସମେତ ରାଜନଗର ରେଞ୍ଜ୍ ର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ବାଲିଡିଆ ଦ୍ବୀପରେ ପକ୍ଷୀ ଗଣନା କରାଯାଇଥିଲା। ଭିତରକନିକା ଇତିହାସରେ ପ୍ରଥମଥର ପାଇଁ ଜାତୀୟ ଉଦ୍ୟାନ ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ତାର ଗଣନା କରାଯାଇଛି। ଏ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି।