ରାଜ୍ୟରେ ଡେଙ୍ଗୁ ସ୍ଥିତି ସ୍ଥିର, ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ | News Room Odisha

ରାଜ୍ୟରେ ଡେଙ୍ଗୁ ସ୍ଥିତି ସ୍ଥିର, ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ

ଭୁବନେଶ୍ବର – ରାଜ୍ୟରେ ଡେଙ୍ଗୁ ସ୍ଥିତି ସ୍ଥିର ରହିଛି। ଡେଙ୍ଗୁ ମାମଲାରେ ବୃଦ୍ଧି ହୋଇନାହିଁ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି। ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ରିପୋର୍ଟ ହେଉଛି । ଗତ ୧୦ ତାରିଖର ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮ ହଜାର ୬୧୦ଟି ନମୁନା ପରୀକ୍ଷଣ ହୋଇଛି । ଏଥିରୁ ୫ ହଜାର ୯୭ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨ ହଜାର ୧୩୩ ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ସ୍କ୍ରବ ଟାଇଫସ ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ। ଶରୀରର ଯେଉଁ ସ୍ଥାନକୁ କୀଟ କାମୁଡେ, ସେଠାରେ ସ୍କ୍ରିନ ଡେଡ ହୋଇଯାଏ। ଯାହାକୁ ଏଚାର ବୋଲି କୁହାଯାଏ। ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚ୍‌ଏଲ୍‌ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି। ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ। ସାଧାରଣ ଆଣ୍ଟିବାୟୋଟିକ୍‌ କାମଦେବ। ଯାହାର ଜ୍ୱର କମୁନି, ସେମାନେ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।