ଶିଳ୍ପ ବିକାଶ ଓ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା | News Room Odisha

ଶିଳ୍ପ ବିକାଶ ଓ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର – ଅବ୍ୟବହୃତ ଶିଳ୍ପାନୁଷ୍ଠାନ ଜମିରେ ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା ହେବ। ଶିଳ୍ପ ବିକାଶ ଓ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିବା ଅଭିଯୋଗ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରିବା ନେଇ ସିଏମଓ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମରେ ଆଜି ଶିଳ୍ପର ବିକାଶ ଓ ନିଯୁକ୍ତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ସବୁ ଶିଳ୍ପ ପ୍ରକଳ୍ପକୁ ଆବଶ୍ୟକ ଲୋକ ବଳ ଓ କୁଶଳୀ ୱାର୍କଫୋର୍ସ ପାଇଁ ଆଇଟିଆଇ ଓ ପଲିଟେକ୍ନିକ୍‌ ପରି ଦକ୍ଷତା ବିକାଶ ଅନୁଷ୍ଠାନ ସହ ସଂଯୋଗ କରାଯିବ । ବ୍ରଜରାଜନଗର, ଝାରସୁଗୁଡାରେ ଜନଶୁଣାଣି ସମୟରେ ଓଡିଏଣ୍ଟ ପେପର ମିଲକୁ ଦିଆଯାଇଥିବା ଲିଜ ଜମିର ବହୁ ଭାଗ ବ୍ୟବହାର ହୋଇନପାରି ପଡିରହିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଝାରସୁଗୁଡା ଜିଲ୍ଲାପାଳ ଓ ଇଡକୋ ଅନୁଧ୍ୟାନ କରି ବୈଠକରେ ଏକ ରିପୋର୍ଟ ଉପସ୍ଥାପନା କରିଥିଲେ । ଏହି ରିପୋର୍ଟ ଆଧାରରେ ଓଡିଏଣ୍ଟର ଅବ୍ୟବହୃତ ଜମିରେ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ଇଡକୋକୁ ନିର୍ଦ୍ଦେଶ ଦିଆଯାଇଛି ।

ଚୌଦ୍ବାର ସ୍ଥିତ ଓଟିଏମର ୫୨୧ ଏକର ଜମିକୁ ସରକାର ନିଜ ଦଖଲକୁ ନେଇଛନ୍ତି । ଓଟିଏମର ସବୁ କର୍ମଚାରୀଙ୍କ ବକେୟା ଅର୍ଥ ମଧ୍ୟ ସରକାର ପ୍ରଦାନ କରିସାରିଛନ୍ତି । ଏହି ଜମିରେ ଏବେ ବିଭିନ୍ନ ଟେକ୍ସଟାଇଲ ଓ ଲୋକୋମୋଟିଭ ଶିଳ୍ପ ପ୍ରତିଷ୍ଠା ପାଇଁ କିଛି ଉଦ୍ୟୋଗୀ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଅଞ୍ଚଳରେ ଜନଶୁଣାଣି ସମୟରେ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ଭିତ୍ତିକ ଶିଳ୍ପ ପାଇଁ ଦାବି କରିଥିଲେ । ଇଡକୋ ଓ ଇପିକଲ ଏହି ଜମିର ବ୍ୟବହାରକୁ ନେଇ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ।ଏହି ରିପୋର୍ଟ ଆଧାରରେ ଓଟିଏମ ଜମିର ଏକ ଅଂଶରେ ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଇପିକଲ ପକ୍ଷରୁ ଆଗ୍ରହୀ ଶିଳ୍ପାନୁଷ୍ଠାନକୁ ପୁଂଜିନିବେଶ ନେଇ ପ୍ରସ୍ତାବ ଦିଆଯିବ । ପର୍ଯ୍ୟାୟ କ୍ରମେ ଶିଳ୍ପ ପାର୍କ ପ୍ରତିଷ୍ଠା ହେବା ସହ ପାନୀୟ ଜଳ, ବିଦ୍ୟୁତ ଯୋଗାଯୋଗ ଓ ଆପ୍ରୋଚ ରୋଡ କାର୍ଯ୍ୟ ଇପିକଲ କରିବ । ବୈଠକରେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତିନୋଟି ବୃହତ କମ୍ପାନୀ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଅକ୍ଟୋବର ୧୫ ସୁଦ୍ଧା ୟୁଟିଲିଟି କରିଡର ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବରପାଲି ଓ ହିଞ୍ଜିଳିରେ ପ୍ରସ୍ତାବିତ ଏମଏସଏମଇ ପାର୍କରେ ପୁଂଜିନିବେଶ ପାଇଁ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।