ଏନସିପି ସଙ୍କଟ: ଅଜିତ ପାୱାର ଗୋଷ୍ଠୀର 'ଏକ୍ସ' ଆକାଉଣ୍ଟ ସସପେଣ୍ଡ୍ | News Room Odisha

ଏନସିପି ସଙ୍କଟ: ଅଜିତ ପାୱାର ଗୋଷ୍ଠୀର ‘ଏକ୍ସ’ ଆକାଉଣ୍ଟ ସସପେଣ୍ଡ୍

ମୁମ୍ବାଇ: ମହାରାଷ୍ଟ୍ରରେ ‘ଏନସିପି’ ଦୁଇ ଫାଳ ହେବା ପରେ ଦଳ ଉପରେ ନିୟନ୍ତ୍ରଣ ପାଇଁ ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ପାୱାର ଗୋଷ୍ଠୀର ଏକ୍ସ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟକୁ ସସଫେଣ୍ଡ୍ କରାଯାଇଛି। ଉଭୟ ଗୋଷ୍ଠୀର ସମାନ ନାମରେ ଆକାଉଣ୍ଟ ଥିବା ନେଇ ଶରଦ ପାୱାର ଗୋଷ୍ଠୀର ଅଭିଯୋଗ ଆଧାରରେ ଅଜିତ ପାଓ୍ବାର ଗୋଷ୍ଠୀର ଏନସିପି ଆକାଉଣ୍ଟକୁ ସସଫେଣ୍ଡ୍ କରାଯାଇଛି ।

@ NCPSpeaks1 ନାମରେ ସୃଷ୍ଟି ହୋଇଥିବା ଏହି ଆକାଉଣ୍ଟରେ ଲେଖା ଅଛି, “ଆକାଉଣ୍ଟ ସସଫେଣ୍ଡ୍।”

ଅଜିତ ପାୱାର ଗୋଷ୍ଠୀ ବିରୋଧରେ ଆଇନଗତ ଲଢ଼େଇକୁ ତୀବ୍ର କରିଛି ଶରଦ ପାୱାର ଗୋଷ୍ଠୀ । ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ନୋଟିସର ଏକ ୫୦୦ ପୃଷ୍ଠାର ଜବାବ ଦାଖଲ କରିଛି। ଅଜିତ ପାୱାରଙ୍କ ସମେତ ୩୯ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଛି ପାଓ୍ବାର ଗୋଷ୍ଠୀ ।

ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କ ନିକଟରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଦାଖଲ କରିଥିବା ଅଯୋଗ୍ୟତା ଆବେଦନ ଅନୁଯାୟୀ ପାୱାର କ୍ୟାମ୍ପକୁ ମାତ୍ର ୧୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷରେ ଅଜିତ ପାୱାର ଗୋଷ୍ଠୀକୁ ୪୧ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାର ଗୋଷ୍ଠୀ ମଧ୍ୟ ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ଉପରେ ଅଧିକାର ଦାବିକରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି।