ଏସଟିଏ କମ୍ପାନୀ ଠକେଇ ଅଭିଯୋଗରେ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ! | News Room Odisha

ଏସଟିଏ କମ୍ପାନୀ ଠକେଇ ଅଭିଯୋଗରେ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ!

ଭୁବନେଶ୍ୱର – ସୋଲାର ଟେକ୍ନୋଲୋଜି ଆଲାଏନ୍ସ -ଏସଟିଏ ଠକେଇ ମାମଲାରେ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା – ଇଓଡବ୍ଲୁ। କମ୍ପାନୀ ବିରୋଧରେ ହଜାରେ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ ରହିଛି। ଗୋବିନ୍ଦା ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ହୋଇଥିଲେ । ପୁଞ୍ଜି ନିବେଶ ପାଇଁ ସେ ଲୋକଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଇଓଡବ୍ଲୁ ଗୋବିନ୍ଦାଙ୍କୁ ସମନ କରି ଭୁବନେଶ୍ୱର ଡାକିପାରେ । ଏହା ନହେଲେ ମୁମ୍ବାଇ ଯାଇ ତାଙ୍କୁ ଜେରା କରିପାରେ ।
ସୂଚନାଯୋଗ୍ୟ ଯେ, ସୋଲାର ଟେକ୍ନୋଲଜି ଆଲାଏନ୍ସ ୨୦୨୧ରେ ଲଞ୍ଚ୍ ହୋଇଥିଲା। କିଛି ମାସ ତଳେ ଗୋଆରେ ଆୟୋଜିତ କମ୍ପାନିର ଏକ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ । ସେ ଏସଟିଏରେ ପୁଞ୍ଜି ବିନିଯୋଗ କରିବାକୁ ଲୋକଙ୍କୁ କହିଥିଲେ। ତେଣୁ ଗୋବିନ୍ଦାଙ୍କୁ ଇଓଡବ୍ଲୁ ପଚରାଉଚରା କରିବାକୁ ଚାହୁଁଛି । ତଦନ୍ତରୁ ଜଣାପଡ଼ିଥିଲା ଯେ, କମ୍ପାନୀ ଆରବିଆଇ ଗାଇଡଲାଇନ୍‌ ଉଲ୍ଲଘଂନ କରିଥିଲା ।ଏପରିକି କ୍ରିପ୍ଟୋ କରେନ୍ସି ଜରିଆରେ କମ୍ପାନୀ ଠକେଇ କରୁଥିବା ଜଣାପଡ଼ିଥିଲା। ଏନେଇ ଭୁବନେଶ୍ୱର ଇଓଡବ୍ଲୁରେ ବି ବହୁ ଅଭିଯୋଗ ହେବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କମ୍ପାନୀରେ ଗୋବିନ୍ଦାଙ୍କ ପ୍ରକୃତ ଭୂମିକା କ’ଣ ଥିଲା, ତାହାର ଖୋଳତାଡ଼ କରିବାକୁ ତାଙ୍କୁ ଜେରା କରିବାକୁ ଚାହୁଁଛି ଇଓଡବ୍ଲୁ।