ଓଡ଼ିଶା ନିର୍ମାଣ କରିଛି ଦେଶର ଅନ୍ୟତମ ଶ୍ରେଷ୍ଠ ସେପ୍ଟେଜ୍ ଭିତ୍ତିଭୂମି : ସିଏସଇ ନିର୍ଦ୍ଦେଶକ | News Room Odisha

ଓଡ଼ିଶା ନିର୍ମାଣ କରିଛି ଦେଶର ଅନ୍ୟତମ ଶ୍ରେଷ୍ଠ ସେପ୍ଟେଜ୍ ଭିତ୍ତିଭୂମି : ସିଏସଇ ନିର୍ଦ୍ଦେଶକ

ଭୁବନେଶ୍ୱର – ସମଗ୍ର ଦେଶରେ ମଳ ନିର୍ଗମନ ଓ ପରିଚାଳନା କ୍ଷେତ୍ରରେ ସର୍ବଶ୍ରେଷ୍ଠ ମଡେଲମାନଙ୍କ ମଧ୍ୟରୁ ଓଡ଼ିଶାର ସେପ୍ଟେଜ୍ ଓ ସ୍ବେୱେଜ୍ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ ଦୃଷ୍ଟାନ୍ତ ସୃଷ୍ଟି କରିଛି । ସେପ୍ଟେଜ୍ ଏବଂ ସ୍ବେୱେଜରୁ ଅମଳ ହୋଇଥିବା ଜୈବ-କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଉପରେ ଦିଲ୍ଲୀସ୍ଥିତ ସେଣ୍ଟର୍ ଫର୍ ସାଇନ୍ସ ଆଣ୍ଡ ଏନଭାୟର୍ନମେଣ୍ଟ (ସିଏସଇ)ର ସହଯୋଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ପକ୍ଷରୁ ଓଡ଼ିଶା ଅର୍ବାନ୍ ଏକାଡ଼େମୀଠାରେ ଆୟୋଜିତ ଆଞ୍ଚଳିକ କର୍ମଶାଳାରେ ବିଶେଷଜ୍ଞ ମାନେ ଏହି ମତବ୍ୟକ୍ତ କରିଛନ୍ତି। ଏହି କର୍ମଶାଳାରେ ଏଫଏସଟିପି ଓ ଏସଟିପିରେ ଉପଚାର ହୋଇଥିବା ଜୈବ-କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ଏହି ଜୈବ-କଠିନ ବର୍ଜ୍ୟବସ୍ତୁ ଭାରତରେ କୃଷି ଅଭିବୃଦ୍ଧି କ୍ଷେତ୍ରରେ ଉନ୍ନତ ଜୈବିକ ସାର ରୂପେ ବ୍ୟବହୃତ ହୋଇପାରିବ ବୋଲି ସିଏସଇ ରିପୋର୍ଟରେ ଦର୍ଶାଯାଇଛି ।

ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଅତ୍ୟାଧୁନିକ ସହରାଞ୍ଚଳ ପରିମଳ ତଥା ଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ଏବଂ ଓଡ଼ିଶାର ବିକେନ୍ଦ୍ରିତ ତଥା ଗୋଷ୍ଠୀ ଅନ୍ତର୍ଭୁକ୍ତୀକରଣ ଭିତ୍ତିକ ଫେକଲ୍ ସ୍ଲଜ୍ ଆଣ୍ଡ ସେପ୍ଟେଜ୍ ମ୍ୟାନେଜମେଣ୍ଟ (ଏଫଏସଏସଏମ୍ ) ସମଗ୍ର ଦେଶରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ । ସେ କହିଥିଲେ ଯେ, ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥା ଅନ୍ତର୍ଗତ ୧୧୮ଟି ଫେକଲ୍ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଳାଣ୍ଟ ଓ ସେୱ୍ୟେଜ୍ ଟ୍ରିଟମେଣ୍ଟ ପ୍ଳାଣ୍ଟ (ଏସଟିପି ) ନିର୍ମାଣ କରାଯାଇଛି । ରାଜ୍ୟବ୍ୟାପୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସମନ୍ୱୟ ଦିଗରେ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ ମତପ୍ରକାଶ କରିଥିଲେ। ସେ ପୁନଶ୍ଚ ଜୈବ ବ୍ୟବସ୍ଥା(ଇକୋସିଷ୍ଟମ୍) ବିକାଶ ପାଇଁ, ଜଳ,ପରିମଳ ଓ ସମନ୍ଵୟଧର୍ମୀ ସହରାଞ୍ଚଳ କ୍ଷେତ୍ର ନିର୍ମାଣ ପାଇଁ ଓଡିଶା ଅର୍ବାନ୍ ଏକାଡ଼େମୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

କର୍ମଶାଳାରେ ନିଜ ବକ୍ତବ୍ୟରେ ସିଏସଇର ଜଳ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦେପିନ୍ଦର ସିଂହ କପୁର କହିଥିଲେ ଯେ ଆମ ଦେଶରେ ୫୦୦ ରୁ ଅଧିକ ଏଫଏସଟିପି କାର୍ଯ୍ୟ କରୁଛି ଯେଉଁଥିରୁ ପ୍ରାୟ ୨୫୦ ଟନ୍ ଜୈବ-କଠିନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି ତଥା ୧୪୬୯ ଏସଟିପିରୁ ପ୍ରାୟ ୧୦୪,୨୧୦ ଟନ୍ ଜୈବ-କଠିନ ବର୍ଜ୍ୟବସ୍ତୁ ମିଳୁଛି । ଓଡ଼ିଶାର ୧୧୫ ଟି ସହରରେ ସେପ୍ଟେଜ୍ ଭିତ୍ତିଭୂମି ନିର୍ମାଣ କରି ଓଡ଼ିଶା ଏ କ୍ଷେତ୍ରରେ ଦେଶର ନେତୃତ୍ଵ ନେଇଛି ବୋଲି ସେ କହିଛନ୍ତି। ଜୈବ-କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦିଗରେ ସିଏସଇ ଦ୍ୱାରା ପ୍ରଦତ୍ତ ବୈଷୟିକ ବିବରଣୀ ଡେପୁଟି ଲ୍ୟାବ ହେଡ଼ ବିନୋଦ ବିଜୟନ ଉପସ୍ଥାପନ କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସାଗରିକା ପଟ୍ଟନାୟକ ଓ ଅତିରିକ୍ତ ଶାସନ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ କର୍ମଶାଳାରେ ବିଭାଗ ତରଫରୁ ପ୍ରତିନିଧିତ୍ୱ କରିଥିଲେ।

କର୍ମଶାଳାରେ ଅଂଶଗ୍ରହଣ କରିଥିବା ବରିଷ୍ଠ ସରକାରୀ ଅଧିକାରୀ, ଶିକ୍ଷାବିତ, ବୈଜ୍ଞାନିକ, ପୌର ଅଧିକାରୀବୃନ୍ଦ ତଥା ପରାମର୍ଶଦାତାମାନେ ଗବେଷନଣାଲବ୍ଧ ବିବରଣୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଏବଂ ଏଫଏସଟିପି ଓ ଏଫଏସଟିପି ର ଉପଚାର ହୋଇଥିବା ଜୈବ-କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଉପରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ବିଚାର ବିମର୍ଷ କରିଥିଲେ।