ବିଶିଷ୍ଟ ଲେଖିକା, ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ପରଲୋକ | News Room Odisha

ବିଶିଷ୍ଟ ଲେଖିକା, ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା, ସାମ୍ବାଦିକା ଓ ଡକ୍ୟୁମେଣ୍ଟାରୀ ଚଳଚିତ୍ର ନିର୍ମାତା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଆଜି ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଗୀତାଙ୍କ ଦେହାନ୍ତ ହୋଇଛି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଝିଅ ଗୀତା ୧୯୪୩ରେ ଜନ୍ମ ଗ୍ରହଣ କରିଥିଲେ । ଭାରତ ଓ ବ୍ରିଟେନର କ୍ୟାଂବ୍ରିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ କରିଥିଲେ ଗୀତା । ଜଣେ ସାମ୍ବାଦିକ, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସୁଲେଖିକା ଭାବେ ଜାତୀୟ ଓ ଆନ୍ତର୍ଜାତିକ ପ୍ରସିଦ୍ଧି ହାସଲ କରିଥିଲେ ଗୀତା ମେହେଟ୍ଟା। ବ୍ରିଟେନ, ଆମେରିକା ଓ ୟୁରୋପୀୟ ଟିଭି ନେଟୱର୍କ ପାଇଁ ଗୀତା ମେହେଟ୍ଟା ୧୪ଟି ଡକ୍ୟୁମେଣ୍ଟାରୀର ନିର୍ମାଣ କରିଥିଲେ । ୧୯୭୦-୭୧ରେ ସେ ଅଗ୍ରଣୀ ଆମେରିକୀୟ ଟିଭି ନେଟୱର୍କ ଏନବିସିର ଯୁଦ୍ଧ ସାମ୍ବାଦିକ ଥିଲେ । ୧୯୬୫ରେ ଗୀତା ଆମେରିକୀୟ ପ୍ରକାଶକ ସୋନି ମେହେଟ୍ଟାଙ୍କୁ ବିବାହ କରିଥିଲେ।

ଏକାଧିକ ପୁସ୍ତକ ରଚନା କରିଛନ୍ତି ଗୀତା ମେହେଟ୍ଟା। ତାଙ୍କ ଲିଖିତ ପୁସ୍ତକ ୨୧ଟି ଭାଷାରେ ଅନୁଦିତ ହୋଇଛି। ଏ ରିଭର ସୂତ୍ର, କର୍ମା କୋଲା ଆଦି ତାଙ୍କର ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ଅନ୍ୟତମ ।