ବିଧାୟକ ପଦରୁ ସୌମ୍ୟରଞ୍ଜନଙ୍କ ଇସ୍ତଫା ଦାବି କଲେ ସସ୍ମିତ ଓ ଅମର | News Room Odisha

ବିଧାୟକ ପଦରୁ ସୌମ୍ୟରଞ୍ଜନଙ୍କ ଇସ୍ତଫା ଦାବି କଲେ ସସ୍ମିତ ଓ ଅମର

ଭୁବନେଶ୍ୱର – ବିଜେଡି ଉପସଭାପତି ପଦରୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ହଟାଇଲା ପରେ ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସୌମ୍ୟ ବାବୁ ବହୁ ଦିନ ଧରି ଦଳବିରୋଧୀ ମତ ଦେଇ ଆସୁଛନ୍ତି ‌।

ମନ୍ତ୍ରୀ ପଦ ପାଇଁ ବିଜେଡିକୁ ବ୍ଲାକ୍‌ମେଲିଂ କରୁଛନ୍ତି । ସୌମ୍ୟରଂଜନଙ୍କ ପ୍ରତି ଆଉ ବିଜେଡି ସଭାପତିଙ୍କ ଆସ୍ଥା ନାହିଁ ବୋଲି ସସ୍ମିତ କହିଛନ୍ତି । ଖଣ୍ଡପଡ଼ା ବିଧାୟକ ତୁରନ୍ତ ବିଧାୟକ ପଦରୁ ଇସ୍ତଫା ଦେଇଦେବେ ବୋଲି ସେ ଆଶା କରନ୍ତି ବୋଲି ସସ୍ମିତ କହିଛନ୍ତି। ବିଜେଡି ସାଂସଦ ଅମର ପଟ୍ଟନାୟକ ସୌମ୍ୟରଞ୍ଜନ ଦଳରୁ ଇସ୍ତଫା ଦେବା ଦରକାର ବୋଲି କହିଛନ୍ତି। ଦଳ ଭିତରେ ରହି ଦଳକୁ ବଦନାମ କରିବା ଗ୍ରହଣୀୟ ନୁହେଁ ।ସେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇଛନ୍ତି । ତେଣୁ ସୌମ୍ୟ ବିଧାୟକ ପଦରୁ ଇସ୍ତଫା ଦେବା ଉଚିତ ବୋଲି ଅମର ପଟ୍ଟନାୟକ କହିଛନ୍ତି। ଅମର ପଟ୍ଟନାୟକ କହିଛନ୍ତି ଯେ,ସାଧାରଣ କର୍ମୀ ଓ ଦଳର ସଦସ୍ୟ ବିଜେଡି ସଭାପତିଙ୍କୁ ଭେଟୁଛନ୍ତି । ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁ ନଥିବା ଅଭିଯୋଗ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।