ପାର୍ବଣ ସତର୍କତା: ରାସ୍ତା ଉପରେ ମେଢ଼ ମନା, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଜୁଆ ଚଢ଼ାଉକୁ ଫୋକସ୍‌ | News Room Odisha

ପାର୍ବଣ ସତର୍କତା: ରାସ୍ତା ଉପରେ ମେଢ଼ ମନା, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଜୁଆ ଚଢ଼ାଉକୁ ଫୋକସ୍‌

ବ୍ରହ୍ମପୁର: ବିଶ୍ଵକର୍ମା ପୂଜା ଓ ଶ୍ରୀଗଣେଶ ଚତୁର୍ଥୀ ପାଳନ ସହ ଆରମ୍ଭ ହୋଇଯାଇଛି ପାର୍ବଣ ରତୁ। ଆଗକୁ ଆସୁଛି ଦୁର୍ଗା ପୂଜା, ଦୀପାବଳି, କାଳୀ ପୂଜା, ଗଜଲକ୍ଷ୍ମୀ ପୂଜା ଓ ଗଞ୍ଜାମ ଜିଲ୍ଲାରେ ବିଶେଷ କରି ଧୁମଧାମରେ ପାଳିତ ହେଉଥିବା କୁମାର ପୂର୍ଣ୍ଣିମା ପର୍ବ। ଏଥିପାଇଁ ଏବେ ସହରରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଲୋକେ ଚଳଚଞ୍ଚଳ ଓ ପାର୍ବଣମୁଖର। ତେବେ ପାର୍ବଣ ରତୁ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ତଥା ଆଇନଶୃଙ୍ଖଳା ବଜାୟ ରହି ଲୋକେ ଆନନ୍ଦ ଉଲ୍ଲାସରେ ପାଳିବେ ସେଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି। ଅସାମାଜିକ ତତ୍ତ୍ବଙ୍କ ବିଶୃଙ୍ଖଳା, ଜୁଆ ଭଳି ଅପରାଧ ନିୟନ୍ତ୍ରଣ ସହ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ନିମନ୍ତେ ବ୍ୟାପକ ଯୋଜନା କରିଛି ପୋଲିସ।

ଏହି ସମୟରେ ସହରାଞ୍ଚଳରେ ଟ୍ରାଫିକ୍‌ ପରିଚାଳନା ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ଓ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ତତ୍ପରତା ପ୍ରକାଶ କରିଛି ପୋଲିସ ବାହିନୀ। ଗଣେଶ ପୂଜା ହେଉ କି ଦୁର୍ଗା ପୂଜା ଅଥବା କାଳୀ ଓ ଲକ୍ଷ୍ମୀ ପୂଜା ମେଢ଼, ଉଭୟ ପୋଲିସ ଜିଲ୍ଲାର ସହରାଞ୍ଚଳମାନଙ୍କରେ ବିଶେଷ କରି ବ୍ରହ୍ମପୁର ମହାନଗରରେ କୌଣସି ପୂଜା ପେଣ୍ଡାଲ୍‌ ବା ତୋରଣ ମୁଖ୍ୟ ରାସ୍ତା ଉପରେ ନିର୍ମାଣ କରାଯିବନି। ଟ୍ରାଫିକ୍‌ ଜାମ୍‌ ଏଡ଼ାଇବା ସହ ଯାତାୟାତ ସ୍ବାଭାବିକ ରଖିବାକୁ ମୁଖ୍ୟ ରାସ୍ତାରେ ପୂଜା ମଣ୍ଡପକୁ ବାରଣ କରାଯାଇଛି। ବ୍ରହ୍ମପୁରରେ ପ୍ରାୟ ୫୦ ଗୋଟି ଛୋଟବଡ଼ ଦୁର୍ଗାପୂଜା ମଣ୍ଡପ ହେଉଛି। ଏଣୁ ପୂଜା କମିଟିକୁ ଉପରୋକ୍ତ ବାବଦରେ ଆଗୁଆ ସୂଚନା ଦିଆଯିବ।

ବ୍ରହ୍ମପୁରରେ ଦୁର୍ଗା ପୂଜା ନିମନ୍ତେ ସହରରେ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ମେଢ଼ରେ ସିସିଟିଭି ଲଗାଯିବା ସହ ଅଧିକ ଫୋର୍ସ ମୁତୟନ ରହିବେ। ଜନଗହଳିରେ ଲୁଟେରା ଗ୍ୟାଙ୍ଗ୍‌ ଯେପରି ଲୋକଙ୍କୁ ସମସ୍ୟାରେ ନପକାଇ ପାରନ୍ତି ସେଥିପାଇଁ ଚୋର, ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପୋଲିସ ବାହିନୀ କସରତ ଆରମ୍ଭ କରି ଦେଇଛି। ସହର ଓ ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାରେ ନିୟମିତ ବ୍ଲକିଂ କରାଯିବା ସହ ସନ୍ଦିଗ୍ଧ ଲୋକଙ୍କୁ କାବୁ କରି ପଚରାଉଚରା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କୁମାର ପୂର୍ଣ୍ଣିମା ସମୟରେ ଗଞ୍ଜାମ ଜିଲ୍ଲାତମାମ ବ୍ୟାପକ ଜୁଆ ଖେଳ ହୋଇଥାଏ। ଲୋକେ ଏଥିରେ ଅର୍ଥ ହାରି ନାନା ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିଥାନ୍ତି। ଗଣ୍ଡଗୋଳ ମଧ୍ୟ ହୋଇଥାଏ। ଏଣୁ ଏହାକୁ କାବୁ କରିବାକୁ ପୋଲିସ ଜୁଆ ଆଡ୍ଡାରେ ଏବେଠାରୁ ଚଢ଼ାଉ ଆରମ୍ଭ କରିଲାଣି। ଗତବର୍ଷ ଦଶହରାରୁ କୁମାର ପୂର୍ଣ୍ଣିମା ମଧ୍ୟରେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ପୋଲିସ ୨୦୬ଟି କେସ୍‌ରେ ୧୧୮୧ ଜଣଙ୍କୁ ଗିରଫ କରିବା ସହ ଜବତ କରିଥିଲା ୪୭ ଲକ୍ଷରୁ ଅଧିକ ଟଙ୍କା। ଚଳିତବର୍ଷ ମଧ୍ୟ ଜୁଆ ଖେଳକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଓ ଗଞ୍ଜାମ ଏସ୍‌ପି। ଅପରପକ୍ଷରେ ବେଆଇନ ବାଣ ବିକ୍ରିକୁ ମଧ୍ୟ ରୋକିବା ପାଇଁ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ଚମାଖଣ୍ଡି ଥାନା ପୋଲିସ ଗୋଟିଏ ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।