ବିଧାନସଭା ପାଇବ ପ୍ରଥମ ମହିଳା ବାଚସ୍ପତି: ମହିଳା ସଶକ୍ତିକରଣ ଦିଗରେ ନବୀନଙ୍କ ଆଉ ଏକ ମହନୀୟ ପଦକ୍ଷେପ  | News Room Odisha

ବିଧାନସଭା ପାଇବ ପ୍ରଥମ ମହିଳା ବାଚସ୍ପତି: ମହିଳା ସଶକ୍ତିକରଣ ଦିଗରେ ନବୀନଙ୍କ ଆଉ ଏକ ମହନୀୟ ପଦକ୍ଷେପ 

ଭୁବନେଶ୍ୱର – ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନ୍ୟ ରାଜନେତାଙ୍କଠାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲଗା । ଏ କ୍ଷେତ୍ରରେ ମଧ୍ୟ ନବୀନ କେବଳ କଥାରେ ନୁହନ୍ତି, କାମରେ କରି ଦେଖାଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଥିବା ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ ମହିଳାଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ସପକ୍ଷରେ ମତପ୍ରକାଶ କରିଛନ୍ତି । ଏପରିକି ସେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ଵରେ ରହି ମହିଳା ସଶକ୍ତିକରଣ ସମ୍ପର୍କିତ ପଦକ୍ଷେପକୁ ସମର୍ଥନ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ସମର୍ଥନ ଏହାର ଏକ ଉଦାହରଣ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲକୁ ପାସ କରିବାକୁ ନିରନ୍ତର ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ମହିଳା ସଶକ୍ତିକରଣ ନେଇ ଆଉ ଏକ ଉଦାହରଣ ସୃଷ୍ଟି କରିିଛନ୍ତି ବିଜେଡି ସୁପ୍ରିମୋ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାର ବାଚସ୍ପତି ଆସନରେ ଆସୀନ ହେବେ ଜଣେ ମହିଳା। ବିଧାନସଭାରେ ବିଜେଡିର ସଂଖ୍ୟାକୁ ଦେଖିଲେ ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବା ଏକ ପ୍ରକାର ନିଶ୍ଚିତ। ଜଣେ ମହିଳାଙ୍କୁ ଏଭଳି ଏକ ସାମ୍ବିଧାନିକ ପଦବୀ ପାଇଁ ପ୍ରାର୍ଥୀ କରିବା ନିଶ୍ଚିତ ଭାବେ ଏକ ମହନୀୟ ପଦକ୍ଷେପ ।