ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଦୁଇ ତୃତୀୟାଂଶ ବହୁମତରେ ପାସ୍ | News Room Odisha

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଦୁଇ ତୃତୀୟାଂଶ ବହୁମତରେ ପାସ୍

ନୂଆଦିଲ୍ଲୀ – ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଏହି ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଛି। ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ମାତ୍ର ୨ଟି ବିଲ୍ ପଡିଥିଲା । ବିଲରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଗତକାଲି ଆଗତ ହୋଇଥିଲା ବିଲ୍ । ବର୍ତ୍ତମାନ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ହେବ । ରାଜ୍ୟସଭାରେ ଏହି ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ। କିନ୍ତୁ ଆଇନରେ ପରିଣତ ହେଲେ ମଧ୍ୟ ଏହା ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ।

୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ।

ପରବର୍ତ୍ତୀ ଜନଗଣନା ପରେ ହିଁ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ହେବ ।୨୦୨୭ରେ ପୁଣି ଦେଶରେ ଜନଗଣନା କରାଯିବ। ୨୦୨୧ରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ହୋଇପାରିନାହିଁ।