ଶ୍ରୀମନ୍ଦିରେ ମହାଲକ୍ଷ୍ମୀ ପାଳିଲେ ଋଷି ପଞ୍ଚମୀ ବ୍ରତ | News Room Odisha

ଶ୍ରୀମନ୍ଦିରେ ମହାଲକ୍ଷ୍ମୀ ପାଳିଲେ ଋଷି ପଞ୍ଚମୀ ବ୍ରତ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ। ଏହି ବ୍ରତ ସ୍ୱୟଂ ମା ଶ୍ରୀଦେବୀ ବା ମହାଲକ୍ଷ୍ମୀ ପାଳନ କରିଥାନ୍ତି। ଏକ ଉପାଖ୍ୟାନ ରୁ ଜଣା ଯାଏ ଯେ ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତଋଷି ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

ଏହି ନ୍ୟାୟରେ ଗତକାଲି ଶ୍ରୀମନ୍ଦିର ରେ ଋଷି ପଞ୍ଚମୀ ବ୍ରତ ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ସକାଳ ଧୂପ ବଢ଼ିବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନ ରୁ ବିଜେ କରାଇ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ତତ୍ପରେ ଶ୍ରୀଦେବୀ ମାର୍କଣ୍ଡେୟ ମହାଦେବ ମନ୍ଦିର କୁ ବିଜେ କରିଥିଲେ। ସେଠାରେ ଶ୍ରୀଦେବୀଙ୍କ ସ୍ୱତନ୍ତ୍ର ବମାଜଣା କରାଯିବା ପରେ ପୂଜାପଣ୍ଡା ବରୁଣ ପୂଜା ଆଦି କରି ସପ୍ତଋଷିଙ୍କୁ ଶୀତଳ ଭୋଗ ନିବେଦନ କରିଥିଲେ।

ଏହାପରେ ପୂଜାପଣ୍ଡା ବ୍ରତକଥା ପଠନ କରି ଶ୍ରୀଦେବୀ ଙ୍କୁ ଶ୍ରବଣ କରାଇଥିଲେ। ବ୍ରତକଥା ଶେଷ ହେବାପରେ ବନ୍ଦାପନା ହୋଇ ଶ୍ରୀଦେବୀ ଶ୍ରୀମନ୍ଦିର କୁ ପ୍ରତ୍ୟବର୍ତ୍ତନ କରିଥିଲେ। ଏହାପରେ ମଧ୍ୟାହ୍ନ ଧୂପ।ବଢିଥିଲା। ଏହି ବ୍ରତରେ ସପ୍ତଋଷି ମାନଙ୍କୁ କ୍ଷୀର , କଦଳୀ ଓ ଫଳ ଭୋଗ କରାଯିବାର ବିଧାନ ରହିଛି।

କଥାବସ୍ତୁ ଆଧାର ରେ ଏହି ବ୍ରତ ସମ୍ପର୍କରେ ରହିଛି ଏକ ସୁନ୍ଦର କାହାଣୀ। ତାହା ହେଉଛି ବିଦଭ୍ର ଦେଶରେ ଉତ୍ତଙ୍କ ନାମକ ଜଣେ ସଦାଚାରୀ ବ୍ରାହ୍ମଣ ରହୁଥିଲେ। ତାଙ୍କ ପତ୍ନୀ ପତିବ୍ରତା ଥିଲେ। ତାଙ୍କର ଗୋଟିଏ କନ୍ୟା। କନ୍ୟାର ବିବାହ ତାଙ୍କ ସମକକ୍ଷ ଏକ କୁଳଶୀଳ ବର ସହିତ କଲେ। ଦୁର୍ଭାଗ୍ୟବଶତଃ କିଛି ଦିନ ପରେ ତାଙ୍କ କନ୍ୟା ବିଧବା ହୋଇଗଲେ। ଉତ୍ତଙ୍କ ମନଦୁଃଖରେ ନିଜ କନ୍ୟାକୁ ଆଣି ଗଙ୍ଗା ତଟରେ ଏକ କୁଡ଼ିଆ ଘର ତିଆରି କରି ରହିବାକୁ ଲାଗିଲେ। ଥରେ ବ୍ରାହ୍ମଣ କନ୍ୟା ଶୋଇଥିବା ସମୟରେ ହଠାତ୍ ତାଙ୍କ ଶରୀର ପୋକରେ ଭରିଗଲା। ବ୍ରାହ୍ମଣ କନ୍ୟା ତାଙ୍କ ମା’ଙ୍କୁ ସମସ୍ତ କଥା ଶୁଣାଇଲେ। ପତ୍ନୀ ସ୍ୱାମୀ ଉତ୍ତଙ୍କକୁ କହିଲେ- ମୋ ସାଧ୍ୱୀ କନ୍ୟାର ଏପରି ଦଶା ହେବାର କାରଣ କ’ଣ ? ଉତ୍ତଙ୍କ ସାଧନା ବଳରେ ଜାଣିବାକୁ ପାଇଲେ ଯେ ପୂର୍ବଜନ୍ମରେ ତାଙ୍କ କନ୍ୟା ବ୍ରାହ୍ମଣୀ ଥିଲେ। ସେ ରଜସ୍ୱଳା ହୋଇଥିବା ବେଳେ ବାସନ ସ୍ପର୍ଶ କରିଦେଇଥିଲେ ।ଯାହା ଫଳରେ ଏହି ଜନ୍ମରେ ତା’ ଶରୀରରେ ପୋକ ହୋଇଯାଇଛି।

ଧର୍ମ ଶାସ୍ତ୍ର ମାନ୍ୟତାନୁସାରେ ରଜସ୍ୱଳା ସ୍ତ୍ରୀ ପ୍ରଥମ ଦିନରେ ଚଣ୍ଡାଳୁଣୀ, ଦ୍ୱିତୀୟ ଦିନରେ ବ୍ରହ୍ମଘାତିନୀ ଏବଂ ତୃତୀୟ ଦିନରେ ଧୋବଣୀ ସହ ସମାନ ଅପବିତ୍ର ହୋଇଥାଏ । ସେ ଚତୁର୍ଥ ଦିନରେ ସ୍ନାନ କରି ଶୁଦ୍ଧ ହୋଇଥାଏ। ଯଦି ସେ ଶୁଦ୍ଧ ମନରେ ଋଷି ପଞ୍ଚମୀ ବ୍ରତ କରିବ ତା’ର ସମସ୍ତ ଦୁଃଖ ଦୂର ହୋଇଯିବ ଏବଂ ପରବର୍ତ୍ତୀ ଜନ୍ମରେ ସେ ସୌଭାଗ୍ୟପ୍ରାପ୍ତ କରିପାରିବ। ପିତା ଉତ୍ତଙ୍କ ଆଜ୍ଞା ପାଇଁ ସାଧ୍ୱୀ କନ୍ୟା ଋଷି ପଞ୍ଚମୀ ବ୍ରତ ପାଳନ କଲେ। ଏହା କରିବାଦ୍ୱାରା ସାଧ୍ୱୀ କନ୍ୟାଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଅକ୍ଷୟ ପ୍ରାପ୍ତ ହୋଇଥିଲେ ।