ବାଚସ୍ପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ବ | News Room Odisha

ବାଚସ୍ପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର – ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଶାସକ ବିଜେଡି ପକ୍ଷରୁ ପ୍ରମିଳା ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରୀତା ସାହୁ, ମନ୍ତ୍ରୀ ଟୁକୁନି ସାହୁ, ପ୍ରୀତି ରଞ୍ଜନ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ । ୬ ଥରର ବିଧାୟିକା ପ୍ରମିଳା ମଲ୍ଲିକ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବା ନିଶ୍ଚିତ ।

ଏଣେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପଦରୁ ପ୍ରମିଳା ମଲ୍ଲିକ ଇସ୍ତଫା ଦେବା ପରେ ଏହି ଅତିରିକ୍ତ ଦାୟିତ୍ୱ ସୁଦାମ ମାର୍ଣ୍ଡିଙ୍କୁ ମିଳିଛି ।