ଭିଟାମାଟିକୁ ଫେରିଲା ମୃତ ଦେହ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଏବଂ ବ୍ରହ୍ମପୁର ଏସପି କଲେ ସହାୟତା | News Room Odisha

ଭିଟାମାଟିକୁ ଫେରିଲା ମୃତ ଦେହ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଏବଂ ବ୍ରହ୍ମପୁର ଏସପି କଲେ ସହାୟତା

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଗୋଳାବନ୍ଧ ପଞ୍ଚାୟତର ବଡ଼ସାହି ଗ୍ରାମର ଅରୁଣ କୁମାର ଦାଶଙ୍କ ମରଶରୀର ଶେଷରେ ଭିଟାମାଟିରେ ପହଞ୍ଚିଥିଲା। ପରିବାର ଲୋକଙ୍କ ଗହଣରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ସୁଦୂର ଜାମ୍ମୁର ଏକ ପୁସ୍ତକ ଦୋକାନରେ ଗତ ୨୦ ବର୍ଷରୁ ଅଧିକ ସମୟ ହେବ କାମ କରି ଆସୁଥିଲେ ଅରୁଣ। ଆସନ୍ତା ଦୁର୍ଗାପୂଜା ବେଳକୁ ଘରକୁ ଛୁଟିରେ ଆସିଥାନ୍ତେ। ହେଲେ ଦେହ ଗୁରୁତର ଅସୁସ୍ଥ ହୋଇପଡିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜାମ୍ମୁର ଏକ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସେ। ଯେତେବେଳେ ପରିବାର ଲୋକଙ୍କ ପାଖରେ ଏହି ଖବର ପହଞ୍ଚିଥିଲା ସେମାନଙ୍କ ଉପରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଲା। ଅରୁଣଙ୍କ ଆୟରେ ପରିବାରର ପେଟ ପୁରୁଥିଲା। ଘରେ ଛୋଟ ଛୋଟ ୨ ପୁଅ ଓ ଗୋଟିଏ ଝିଅ। ମୃତଦେହ ଜାମ୍ମୁରୁ କିପରି ଆସିବ ଯେ ଘର ଲୋକଙ୍କ ଗହଣରେ ଗାଁ ମାଟିରେ ଶେଷକୃତ୍ୟ ସଂପନ୍ନ ହେବ ସେହି ଚିନ୍ତାରେ ପଡ଼ିଗଲେ ପରିବାରବର୍ଗ।

ଶେଷରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶଙ୍କ ନିକଟରେ ଏହି ଖବର ପହଞ୍ଚିଥିଲା। ସେ ତୁରନ୍ତ ନିଜ ମାଧ୍ୟମରେ ମରଶରୀର କିଭଳି ପରିବାର ଲୋକଙ୍କ ନିକଟକୁ ହାତୀପାଦୁ ଗାଁକୁ ଆସିବ ତାହାର ଉପଯୁକ୍ତ ବ୍ୟବସ୍ଥା କରିଥିଲେ। ଆଉ ଏଥିରେ ବ୍ରହ୍ମପୁର ଏସପି ଡାଃ ସର୍ବଣା ବିବେକ ଏମ୍ ମଧ୍ୟ ସହାୟତା କରିବାକୁ ଆଗେଇ ଆସିଥିଲେ। ଦୁହିଁଙ୍କ ସହାୟତା ବଳରେ ଆଜି ସକାଳେ ଅରୁଣଙ୍କ ମୃତଦେହ ହାତୀପାଦୁ ଗାଁରେ ପହଞ୍ଚିଥିଲା ଓ ଯଥାରୀତି ଅନ୍ତିମ ସଂସ୍କାର କରାଯାଇଥିଲା। ଗ୍ରାମବାସୀ, ପରିବାର ବର୍ଗ ଏଥିପାଇଁ ଡାଃ ଦାଶ ଓ ବ୍ରହ୍ମପୁର ଏସପିଙ୍କ ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଏହାଛଡ଼ା ଡାଃ ଦାଶ ଅରୁଣଙ୍କ ପରିବାରକୁ ରେଡକ୍ରସରୁ ସାହାଯ୍ୟ ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଅନୁରୋଧ କରିଛନ୍ତି।