ଐତିହାସିକ ଦିନ : ବିଧାନସଭାକୁ ମିଳିଲା 'ପ୍ରଥମ ମ୍ଯାଡାମ ସ୍ପିକର' | News Room Odisha

ଐତିହାସିକ ଦିନ : ବିଧାନସଭାକୁ ମିଳିଲା ‘ପ୍ରଥମ ମ୍ଯାଡାମ ସ୍ପିକର’

ଭୁବନେଶ୍ୱର – ଓଡ଼ିଶା ବିଧାନସଭା ପାଇଁ ଆଜି ଏକ ଐତିହାସିକ ଦିନ । କାହିଁକି ନା ବିଧାନସଭା ଦେଖିଲା ପ୍ରଥମ ମହିଳା ବାଚସ୍ପତି। ସେ ପୁଣି ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବାଚସ୍ପତି ମହାଶୟା ସମ୍ବୋଧନ । ମାନେ ମାଡାମ ସ୍ପିକର । ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଥିବା ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଅଳଙ୍କୃତ କରିଛନ୍ତି ବିଧାନସଭାର ବାଚସ୍ପତି ପଦ। ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ପ୍ରମିଳା । ନିର୍ବାଚିତ ହୋଇ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ଗୃହରେ ଅଧ୍ୟକ୍ଷତା କରିଛନ୍ତି ପ୍ରମିଳା ।

ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ହିଁ ବିଧାନସଭାର ଏକ ବିଶେ‌ଷ ଅଧିବେଶନରେ ବାଚସ୍ପତି ଦାୟିତ୍ୱରେ ଥିବା ବିଧାୟକ ରଜନୀକାନ୍ତ ସିଂ ପ୍ରମିଳା ମଲ୍ଲିକ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଏହାପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଭାବେ ଅବସ୍ଥାପିତ କରାଯିବା ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ, ଯାହାକୁ କି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥନ କରିଥିଲେ । ଏହାପରେ ଚଳିଆସିଥିବା ପରମ୍ପରା କ୍ରମେ ନବନିର୍ବାଚିତ ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିରୋଧୀ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଅନ୍ୟ ବରିଷ୍ଠ ସଦସ୍ୟମାନେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ।

ବାଚସ୍ପତି ଭାବେ ନିଜର ପ୍ରଥମ ଭାଷଣରେ ପ୍ରମିଳା ମଲ୍ଲିକ ଗୃହର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ ଗୃହ ସୁପରିଚାଳନା ପାଇଁଁ ସହଯୋଗ କାମନା କରିଥିଲେ । ଗୃହର ମର୍ଯ୍ୟାଦା ବଜାୟ ରଖିବାକୁ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ବାଚସ୍ପତି କହିଥିଲେ।

ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ପ୍ରମିଳା ମଲ୍ଲିକଙ୍କୁ ଧନ୍ୟବାଦ ଜଣାଇଥିଲେ । ନୂଆ ବାଚସ୍ପତିଙ୍କ ବିଧାୟକ, ମନ୍ତ୍ରୀ, ସରକାରଙ୍କ ମୁଖ୍ୟ ସଚେତକ ଭାବେ ଅଭିଜ୍ଞତା ରହିଛି। ତେଣୁ ଏସବୁ ଅଭିଜ୍ଞତା ତାଙ୍କୁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେ ନିରପେକ୍ଷ ଭାବରେ ଗୃହ କାର୍ଯ୍ୟ ପରିଚାଳନା କରିବେ ବୋଲି ଆଶା ପ୍ରକାଶ କରିଥିଲେ । ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସମାନ ଆଶା ପ୍ରକାଶ କରିବା ସହ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ତାଙ୍କ ଦଳ ଗର୍ବିତ ବୋଲି କହିଥିଲେ ।