ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ହରାଇ ଭାରତ ନମ୍ବର ଓ୍ବାନ୍ | News Room Odisha

ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ହରାଇ ଭାରତ ନମ୍ବର ଓ୍ବାନ୍

ମୋହାଲି: ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ସହ ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଶୁକ୍ରବାର ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁୁ ୫ ୱିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୬ ରନ୍ କରିିଥିଲା । ଏହାର ଜବାବରେ ଭାରତ ୮ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ଏହି ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହାଛଡ଼ା ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତ ଏବେ ତିନୋଟି ଯାକ ଫର୍ମାଟରେ ଏକ ନମ୍ବର ଦଳ ହୋଇଛି।

ଦଳକୁ ଦୁଇ ଯୁବ ଓପନର ଶୁଭମାନ ଗିଲ୍ ଓ ଋତୁୁରାଜ ଗାଏକ୍ୱାଡ୍ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟରେ ୧୪୨ ରନ୍ ଯୋଗ କରିଥିଲେ ।

ଗିଲ୍ ୭୧ ଓ ଋତୁରାଜ ୭୪ ରନ୍ କରିଥିଲେ । ଏହାପରେ କାମଚଳା ଅଧିନାୟକ କେଏଲ୍ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଔପଚାରିକତା ପୂରଣ କରିଥିଲେ । ଦୁହେଁ ଅର୍ଦ୍ଧଶତକ ହାସଲ ପୂର୍ବକ ପଞ୍ଚମ ୱିକେଟରେ ୮୦ ରନ୍ ଯୋଗ କରିଥିଲେ । ସୂୂର୍ଯ୍ୟ ୫୦ ରନ୍ କରିଥିବା ବେଳେ ରାହୁଲ ୫୮ ରନ୍ କରି ଅପରାଜିିତ ରହିଥିଲେ ।

ପୂର୍ବରୁ ଟିମ ଇଣ୍ଡିଆର କାମଚଳା ଅଧିନାୟକ କେଏଲ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ମହମ୍ମଦ ଶାମି ପ୍ରଥମ ଓଭରରେ ଇନଫର୍ମ ମିଚେଲ ମାର୍ଶ(୪)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

କିନ୍ତୁ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥ ଦ୍ୱିତୀୟ ୱିକେଟ ପାଇଁ ୯୪ ରନ ଭାଗିଦାରୀ କରିଥିଲେ। ୱାର୍ଣ୍ଣର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ୫୨ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ।

ୱିକେଟ ପଡ଼ିବା କ୍ଷଣି ରାହୁଲ ତୁରନ୍ତ ଶାମିଙ୍କୁ ପୁଣି ବୋଲିଂ କରିବାକୁ କହିଥିଲେ। ସେ ମଧ୍ୟ କାହାକୁ ନିରାଶ ନ କରି ସ୍ମିଥ(୪୧)ଙ୍କୁ କ୍ଲିନବୋଲ୍ଡ କରିଥିଲେ। ମାର୍ନସ ଲାବୁଶେନ(୩୯) କ୍ରିଜ୍‌ରେ ଜମି ଆସୁଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ସେ ଷ୍ଟମିଂ ହୋଇ ଯାଇଥିଲେ।

୫ମ ୱିକେଟ ପାଇଁ କାମରନ ଗ୍ରୀନ ଓ ଇଙ୍ଗଲିସ ସ୍ଥିତି ସମ୍ଭାଳିଥିଲେ। ଉଭୟ ୨୯ ରନର ଭାଗିଦାରୀ କରିଥିବା ବେଳେ ଗ୍ରୀନ(୩୧) ରନ କରି ରନ ଆଉଟ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ୧୮୬ ରନରେ ୫ମ ୱିକେଟ ହରାଇଥିଲା।

ଏତିକି ବେଳେ ଇଙ୍ଗଲିସଙ୍କ ସହ ମିଶି ଷ୍ଟୋଇନିସ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଉଭୟ ଦଳୀୟ ସ୍କୋରକୁ ୪୬ ଓଭର ସୁଦ୍ଧା ୨୪୮ ରନରେ ପହଞ୍ଚାଇ ଦେଇଥିଲେ।

୪୭ମତମ ଓଭର ପକାଉଥିବା ଶାମିଙ୍କୁ ଷ୍ଟୋଇନିସ ଲଗାତର ୨ଟି ଚୌକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ସେ ବୋଲ୍ଡ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୨୧ ବଲରେ ୨୯ ରନର ଇନିଂସ ଖେଳିଥିଲେ।

ଷ୍ଟୋଇନିସ ଆଉଟ ହେବାର ୨ ରନ ପରେ ଯଶପ୍ରୀତ ବୁମ୍ରା ୪୫ ବଲରେ ୪୫ ରନ କରିଥିବା ଇଙ୍ଗଲିସଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୪୮ତମ ଓଭରରେ ବୁମ୍ରା ମାତ୍ର ୩ ରନ ଦେବା ସହ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ।

୪୯ତମ ଓଭର ପକାଇବାକୁ ଆସିଥିଲେ ମହମ୍ମଦ ଶାମି। ସେ ଓଭରର ଦ୍ୱିତୀୟ ବଲରେ ମାଥ୍ୟୁ ଶର୍ଟ(୨) ଓ ୪ର୍ଥ ବଲରେ ସେନ ଆବୋଟ(୨)ଙ୍କୁ ବୋଲ୍ଡ କରି ମ୍ୟାଚ୍‌ରେ ୫ମ ସଫଳତା ହାସଲ କରିଥିଲେ।

୪୯ତମ ଓଭରର ଶେଷ ବଲରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ବଡ଼ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଶେଷ ଓଭରର ଦ୍ୱିତୀୟ ବଲରେ କମିନ୍ସ ବେଶ ଚମତ୍କାର ଢଙ୍ଗରେ ଶାର୍ଦ୍ଦୁ ଠାକୁରଙ୍କୁ ଚୌକା ମାରିଥିଲେ। ତୃତୀୟ ବଲ ଡଟ ହୋଇଥିବା ବେଳେ ୪ର୍ଥ ବଲରେ ସେ ପୁଣି ଚୌକା ମାରିଥିଲେ। ୫ ବଲ୍‌ରେ କମିନ୍ସ ପୁଣି ୨ ରନ ହାସଲ କରିଥିଲେ।

ଶେଷ ବଲରେ ମଧ୍ୟ ସେ ଦୁଇ ରନ ନେଇ ଦଳୀୟ ସ୍କୋରକୁ ୨୭୬ ରନରେ ପହଞ୍ଚାଇ ଦେଇଥିଲେ। କମିନ୍ସ ଶେଷ ଯାଏ ୯ ବଲରେ ୨୧ ରନ କରି ଅପରାଜିତ ରହିଥିଲେ। ଶେଷ ୱିକେଟ ଭାବେ ଆଡାମ ଜାମ୍ପା (୨) ରନ ଆଉଟ ହୋଇଥିଲେ।