ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ। ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ କରାଯାଇଥାଏ ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରିଥାଆନ୍ତି। ରାଧାଷ୍ଟମୀ ବ୍ରତ ବୈଷ୍ଣବମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ। ମାନ୍ୟତା ଅନୁଯାୟୀ ଏହିଦିନ ରାଧାଙ୍କର ବିଧିବିଧାନରେ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଖୁସି ଆସିଥାଏ। ପାରମ୍ପରିକ ମାନ୍ୟତା ଅନୁଯାୟୀ ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରିଥିଲେ ସେହି ସମୟରେ ମା ଲକ୍ଷ୍ମୀ ରାଧାରାଣୀ ରୂପରେ ପ୍ରକଟ ହୋଇଥିଲେ। ଏହି ଦିନକୁ ହିଁ ରାଧା ଜୟନ୍ତୀ ବା ରାଧାଷ୍ଟମୀ ରୂପେ ପାଳନ କରାଯାଇଥାଏ। କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ସବୁ ପାପ ନାଶ ହୋଇଥାଏ। ଅଖଣ୍ଡ ସୌଭାଗ୍ୟବତୀ, ସୁଖ,ସମୃଦ୍ଧି ଓ ଶାନ୍ତି ପାଇଁ ବିବାହିତ ମହିଳାମାନେ ରାଧାଷ୍ଟମୀ ବ୍ରତ ରଖିଥାନ୍ତି। କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ।ବନ୍ଧ୍ୟା ନାରୀ ଏହି ରାଧାଷ୍ଟମୀ ବ୍ରତ କଲେ ପୁତ୍ର ପୌତ୍ର ପ୍ରାପ୍ତ ହୁଅନ୍ତି, ନିର୍ଧନ ଧନ ପ୍ରାପ୍ତ ହୁଏ, ବ୍ୟାଧିଗ୍ରସ୍ତ ବ୍ୟାଧିମୁକ୍ତ ହୋଇଥାଏ। ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀରାଧାଷ୍ଟମୀ ଭାବରେ ପାଳନ କରାଯାଇଥାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ରାଧାଶ୍ରୀଙ୍କୁ ପ୍ରସନ୍ନ କରିଦିଅନ୍ତି ଶ୍ରୀକୃଷ୍ଣ ଆପେ ଆପେ ତା’ଉପରେ ପ୍ରସନ୍ନ ହୋଇ ଯାଆନ୍ତି। ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ।
ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।ରାଧାଷ୍ଟମୀ ଭଗବାନ ଓ ମନୁଷ୍ୟ ମଧ୍ୟରେ ଏକ ଅଦ୍ୱିତୀୟ ସମ୍ବନ୍ଧର ପ୍ରତୀକକୁ ସୂଚାଇଥାଏ। ଶ୍ରୀକୃଷ୍ଣଙ୍କ ନାମ ତୁଣ୍ଡରେ ଜପ କରିବା ସମୟରେ ରାଧାଙ୍କ ନାମ ନେବାକୁ ପ୍ରାୟ କେହି ଭୁଲନ୍ତି ନାହିଁ। କାରଣ ଏହି ଦୁଇଟି ନାମ ବା ଶବ୍ଦ ପରସ୍ପର ପାଇଁ ହିଁ ସୃଷ୍ଟି ହୋଇଛି ଏବଂ ଏହାକୁ କେହି ଅଲଗା କରିପାରିବେ ବି ନାହିଁ। ରାଧାକୃଷ୍ଣ ପ୍ରକୃତି ଏବଂ ପୁରୁଷର ଚମତ୍କାର ଦିବ୍ୟ ସଂଯୋଗ। ଏହା ମଧ୍ୟ କୁହାଯାଏ ଯେ ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ସହ ପ୍ରେମଭାବ ସୁଦୃଢ କରିବା ପାଇଁ ମାନମୟୀ ରାଧାଙ୍କର ଜନ୍ମ ହୋଇଥିଲା।
ଶ୍ରୀ ରାଧାଙ୍କ ଆବିର୍ଭାବ ସମ୍ପର୍କରେ ଭିନ୍ନଭିନ୍ନ ମତବାଦ ରହିଅଛି।କାହାକାହା ମତରେ ଶ୍ରୀକୃଷ୍ଣଙ୍କ ଦକ୍ଷିଣ ଅଂଶରୁ ଶ୍ରୀ ରାଧାଙ୍କ ଉତ୍ପତ୍ତି ବୋଲି କୁହାଯାଏ। ସେଥି ପାଇଁ ବୈଷ୍ଣବୀୟ ଶାସ୍ତ୍ରରେ କୁହାଯାଇଛି ଯେ ଯିଏ ହିଁ ରାଧା ସିଏ ହିଁ କୃଷ୍ଣ। ଦୁଇବିଗ୍ରହ ଏକ ଆତ୍ମା। ଅନ୍ୟ ଏକ ମତ ଅନୁଯାୟୀ ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ। ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ। ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା ,ଦେବତାଗଣ ଭୀତ ହେଲେ।ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ।ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନଦେଇ କହିଲେ “ହେ ଦିବାକର,ତୁମେ ତପସ୍ୟାରେ ସିଦ୍ଧିଲାଭ କରିଅଛ। ତୁମେ ବର ପ୍ରାର୍ଥନା କର। ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ। ଏହା ବ୍ୟତୀତ ମୋର ଆଉ କିଛିଇଚ୍ଛା ନାହି ଶ୍ରୀହରି”ତଥାସ୍ତୁ” କହିଲେ। ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ। ଶ୍ରୀରାଧା ଏବଂ ଶ୍ରୀହରିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ବୃନ୍ଦାବନର ନନ୍ଦାଳୟରେ କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ। ସୂର୍ଯ୍ୟଦେବ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ। ଶ୍ରୀରାଧା ତାଙ୍କର କନ୍ୟା ରୂପେ ଅବତୀର୍ଣ୍ଣ ହେଲେ। ଯଥା କାଳେ ଗୋପକନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ଅନୁଷ୍ଠିତ ହେଲା।
ବ୍ରହ୍ମବୈବର୍ତ୍ତ ପୁରାଣରେ ଶ୍ରୀରାଧାଙ୍କୁ ଅଯୋନି ସମ୍ଭୂତା ବୋଲି କୁହାଯାଇଅଛି। କୁହାଯାଏ ରାଧାଙ୍କ ଜନ୍ମ ମଥୁରା ରାବଲ ଗାଁରେ ହୋଇଥିଲା। ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଜନ୍ମ ହୋଇଥିଲା। ଶାସ୍ତ୍ରଅନୁସାରେ ରାଧାଙ୍କ ମା କୀର୍ତ୍ତିଦା ସବୁଦିନ ଯମୁନାରେ ସ୍ନାନ କରିବା ପରେ କନ୍ୟା ଲାଗି କାମନା କରୁଥିଲେ।ସବୁଦିନ ପରି ସେଦିନ ମଧ୍ୟ ସେ ଯମୁନାରେ ଗାଧୋଇ କନ୍ୟା କାମନା କରିବା ବେଳେ ତାଙ୍କ ସମ୍ମୁଖରେ ଏକ ସ୍ୱର୍ଣ୍ଣକମଳ ପ୍ରତିଭାତ ହୋଇଥିଲା। ଆଗ୍ରହରେ କୀର୍ତ୍ତିଦା ପଦ୍ମଫୁଲ ନିକଟକୁ ଯିବାରୁ ତାହା ଫୁଟି ଉଠିଥିଲା।ଫୁଲର କେଶରରେ ଏକ ସ୍ୱର୍ଣ୍ଣାଭ କୁମାରୀ ଆଖି ବନ୍ଦ କରି ଶୟନ କରିଥିଲା। ଜନ୍ମଠାରୁ ତିନିଦିନ ପର୍ଯ୍ଯନ୍ତ ଶିଶୁଟିର ଚକ୍ଷୁ ମୁଦ୍ରିତ ଥିଲା। ଯେଉଁ ଦିନ ସେ କୃଷ୍ଣଙ୍କ ନାମ ଶୁଣିଲେ ସେଦିନ ତାଙ୍କ ଆଖି ଖୋଲିବା ସହ ସେ ଦୁନିଆ ଦେଖିଥିଲେ। ରାଜା ବୃଷଭାନୁ ରାଣୀ କୀର୍ତ୍ତିଦା ଶିଶୁଟିର ନାଁ ଦେଇଥିଲେ ‘ରାଧା’।‘ରା’ ର ଅର୍ଥ ଅଗ୍ନି, ‘ଧା’ ହେଉଛି ଧାବମାନ,ଭଗବାନଙ୍କ ଆଡକୁ ଧାବମାନର ସଂକେତ।ବୈଷ୍ଣବମାନଙ୍କ ମତାନୁସାରେ ସେମାନଙ୍କର ଆରାଧନାର ମୁଖ୍ଯ ଦେବୀ ହେଉଛନ୍ତି ରାଧା।ଆରାଧୟତି ଇତି ରାଧା। ଶ୍ରୀକୃଷ୍ଣଙ୍କୁ ଆରାଧନାର ପ୍ରକୃଷ୍ଟ ସାଧନ ହେଉଛନ୍ତି ’ରାଧା’। ଅନ୍ଯ କେତେକଙ୍କ ମତରେ ‘ରା’ ର ଅର୍ଥ ଜୀବର ମର୍ମ,‘ଧା’ ହେଉଛି ପରମ।ରାଧ ଧାତୁରୁ ରାଧା ଶବ୍ଦ ନିଷ୍ପନ୍ନ ହ ‘ ଅର୍ଥାତ୍ ‘ରାଧ’ ଧାତୁ ଓ ‘ସାଧ’ ଧାତୁର ଅର୍ଥ ସିଦ୍ଧି।ଏଣୁ କୁହାଯାଇଛି ‘ରାଧ୍ନୋତି ସକଳାନ୍ କାମାନ୍ ତସ୍ମାତ୍ ରାଧେତି କୀର୍ତ୍ତିତା’ ଅର୍ଥାତ୍ ଯେ ସମସ୍ତ କାମନା ପୂର୍ଣ୍ଣ କରନ୍ତି ତାଙ୍କୁ ରାଧା କୁହାଯାଏ। ଏହାର ତାତ୍ପର୍ଯ୍ୟ ଏହି ଯେ ରାଧାଙ୍କର ଉପାସନା କଲେ ଉପାସକର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ।