ଛତ୍ରପୁର: କନ୍ଧମାଳ ଜିଲ୍ଲା ପରେ ଏବେ ଗଞ୍ଜାମ ଜିଲ୍ଲାରେ ସରକାର ଖୋଲିବାକୁ ଯାଉଛନ୍ତି ‘ମାଆ ଗୃହ’। ଏହା ଏମିତି ଏକ ବ୍ୟବସ୍ଥା ଯାହା ଫଳରେ ଜିଲ୍ଲାର ଦୁର୍ଗମ ଅଞ୍ଚଳମାନଙ୍କରେ ମାଆମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଉପଲବ୍ଧ ହୋଇପାରିବ। ବିଶେଷ କରି ପ୍ରତିକୂଳ ଭୌଗୋଳିକ ଅବସ୍ଥା ଯୋଗୁଁ ଅଗମ୍ୟ ଇଲାକାରେ ପ୍ରସବ ବେଦନା ଭୋଗୁଥିବା ମହିଳାମାନକ୍ତୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଏହାର ଲକ୍ଷ୍ୟ। ୨୦୦୯ ମସିହାରୁ ଏହି ଯୋଜନା ରାଜ୍ୟରେ ପ୍ରଚଳିତ ହୋଇଥିଲେ ହେଁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ ଗତ ମେ ମାସରେ ଏହାକୁ ପ୍ରଥମ କରି କାର୍ଯ୍ୟକାରୀ କରାଯାଇ ଥିଲା। ପାଇଲଟ୍ ପ୍ରକଳ୍ପରୁ ସଫଳତା ମିଳିବା ପରେ ଏବେ ସୋରଡ଼ା ଓ ଧରାକୋଟ ବ୍ଲକ୍ରେ ମାଆ ଗୃହ ଖୋଲିବାକୁ ସ୍ଥିର କରିଛି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛନ୍ତି।
ଘରୋଇ ପ୍ରସବ ବଦଳରେ ଆନୁଷ୍ଟାନିକ (ଡାକ୍ତରଖାନାରେ ବା ସ୍ବାସ୍ଥ୍ୟ କର୍ମୀଙ୍କ ତତ୍ତ୍ଵାବଧାନରେ) ପ୍ରସବକୁ ଉତ୍ସାହିତ କରିବାର ମାଧ୍ୟମ ହେବ ମାଆ ଗୃହ। ପ୍ରସବ ତାରିଖର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଗର୍ଭବତୀଙ୍କୁ ହସ୍ପିଟାଲ ନିକଟ ମାଆ ଗୃହକୁ ଅଣାଯିବ। ସେଠାରେ ସେମାନେ ଘରୋଇ ଖାଦ୍ୟ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ଯତ୍ନ ପାଇପାରିବେ। ଏହାର ସମସ୍ତ ଖର୍ଚ୍ଚ ବହନ କରିବ ସ୍ଵାସ୍ଥ୍ୟ ବିଭାଗ। ଉଚିତ ସମୟରେ ଡାକ୍ତରଖାନାରେ ପ୍ରସୂତୀମାନଙ୍କ ସୁରକ୍ଷିତ ପ୍ରସବ କରାଇବା ସହ ପରବର୍ତ୍ତୀ ଯତ୍ନ ନିଆଯାଏ। ଦୁର୍ଗମ ଅଞ୍ଚଳରେ ଗମନାଗମନ ସୁବିଧା ନଥିବାରୁ ଆନ୍ମୁଲାନ୍ସ ପହଞ୍ଚିବା ସମ୍ଭବପର ହୋଇପାରେନି। ଗର୍ଭବତୀମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଠିକ୍ ସମୟରେ ଓ ସୁରକ୍ଷିତ ଭାବେ ଆଣିବା କାଠିକର ହୋଇପଡେ। ସେଥିପାଇଁ ଅନେକ ପ୍ରସୂତୀ ଘରେ ଛୁଆ ଜନ୍ମ କରନ୍ତି। ଏଭଳି ହେଉ ବା ଦୁର୍ଗମାଞ୍ଚଳରୁ ଗର୍ଭବତୀଙ୍କୁ ଆଣିବା ବାଟରେ ରାସ୍ତାରେ ଅସୁରକ୍ଷିତ ପ୍ରସବ କାରଣରୁ ଉଭୟ ମାଆ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଲାଗି ରହୁଛି। କେତେକ ଜାଗାରେ ଜୀବନ ମଧ୍ୟ ଚାଲିଯାଉଛି। ଏହାର ପ୍ରତିକାର ହେବ ମାଆ ଗୃହ।
ମାଆ ଗୃହରେ ୬ଟି ଶଯ୍ୟା ଥିବା ବେଳେ ଜଣେ ଏଏନ୍ଏମ୍, ୩ ଜଣ ସ୍ବାସ୍ଥ୍ୟ ସହାୟକ, ଜଣେ ରୋଷେୟା ରହିଥାନ୍ତି। ଜିଲ୍ଲା ଖଣିଜ ପାଣ୍ଠିରୁ ମାଆ ଗୃହ ପରିଚାଳନା ପାଇଁ ଅର୍ଥ ଖର୍ଚ୍ଚ ହେବ। ପାତ୍ରପୁର ବ୍ଲକ୍ର ଆଙ୍କୁଲି, ବୂରାତାଲ, ତୁମ୍ବା ଆଦି ପାହାଡିଆ ପଞ୍ଚାୟତର ସର୍ବାଧିକ ଗର୍ଭବତୀ ଡାକ୍ତରୀ ପ୍ରସବ ସୁବିଧାରୁ ବଞ୍ଚିତ ହେଉଥିଲେ। ମାତ୍ର ଆରମ୍ଭରୁ ତିନି ମାସ ମଧ୍ୟରେ ୯୫ ପ୍ରତିଶତ ଅର୍ଥାତ୍ ୯୦ ଜଣ ମହିଳା ଡାକ୍ତରଖାନାରେ ଛୁଆ ଜନ୍ମ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏବେବି ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା, ସୋରଡ଼ା ଓ ଧରାକୋଟ ଆଦି ବ୍ଲକ୍ରେ ଘରୋଇ ପ୍ରସବ ରହିଛି। ମାତ୍ର ଅସୁରକ୍ଷିତ ଘରୋଇ ପ୍ରସବକୁ ଦୂର କରିବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।