ସମୃଦ୍ଧ ଅତୀତ ସହ ଭବିଷ୍ୟତର ରୂପାନ୍ତରଣ ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ | News Room Odisha

ସମୃଦ୍ଧ ଅତୀତ ସହ ଭବିଷ୍ୟତର ରୂପାନ୍ତରଣ ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଅତୀତର ଅଭିଜ୍ଞତା ସହ ସାଂପ୍ରତିକ ଓଡ଼ିଶା ଭବିଷ୍ୟତର ରୂପାନ୍ତରଣ ସହ ଜଡିତ ହେବାକୁ ଚାହେଁ। ସମସ୍ତ ମୌଳିକ ଆଦର୍ଶ ଓ ବିଚାରଧାରା ବଜାୟ ରଖି ଓଡ଼ିଶାରେ ଏକ ପ୍ରଗତିଶୀଳ ଆଧୁନିକ ସମାଜ ସୃଷ୍ଟି ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱରରେ ଇଂରାଜୀ ଦୈନିକ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ, କଳିଙ୍ଗ ଯୁଦ୍ଧରୁ ଓଡ଼ିଶା ଇତିହାସ ଜଣାପଡେ । ଶେଷ ଯାଏଁ ସଂଗ୍ରାମ କରିବାର ପ୍ରତିବଦ୍ଧତା ଇତିହାସର ଗତିପଥ ବଦଳାଇ ଦେଇଥିଲା । କଳିଙ୍ଗ ଯୁଦ୍ଧ ପରେ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରସାର ହୋଇଥିଲା । ଆଜି ମଧ୍ୟ ଶାନ୍ତି ଓ ଅହିଂସା ପାଇଁ ଛିଡା ହୋଇଛି । ସମ୍ରାଟ ଖାରବେଳଙ୍କ ଗୌରବମୟ ଯୁଗ ଏକ ସମୃଦ୍ଧ ସମାଜ ଭାବେ ଆମର ପରିଚୟ ପୁନଃ ପ୍ରତିଷ୍ଠା କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶା ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ତା’ର ପରିଚୟ ସୃଷ୍ଟି କରିଛି। ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ନିଆରା। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ବହୁ ଦୁର୍ବିପାକରେ ସମ୍ମୁଖୀନ ହୋଇଆସିଛି। ତା ସତ୍ତ୍ୱେ ରାଜ୍ୟରେ ବିକାଶ ଧାରାରେ କେବେବି ବ୍ରେକ ଲାଗିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦିନ ଥିଲା ଓଡ଼ିଆ ଭାଷାକୁ କେହି ଏକ ଭିନ୍ନ ଭାଷା ବୋଲି ଭାବୁନଥିଲେ । କିନ୍ତୁ ଆଜିର ଦିନରେ ଓଡ଼ିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିର ଗଭୀର ପ୍ରଭାବ ରହିଛି । ସବୁ ଧର୍ମ ଓ ସବୁ ସଂସ୍କୃତି ଓଡ଼ିଶା ସମ୍ମାନ କରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।