ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ | News Room Odisha

ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

ଭୁବନେଶ୍ୱର -ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ । ଏଥିପାଇଁ ବରଗଡ , ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ନେଇ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯିବ ।ବୁଣାକାରଙ୍କୁ ସିଧାସଳଖ ବଜାର ସହ ଯୋଡିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ସମ୍ମିଳନୀରେ ତିନିଟି ଜିଲ୍ଲାର ହସ୍ତତନ୍ତ ପ୍ରଦର୍ଶନ କରାଯିବ । ଏନେଇ ଆଜି ବରଗଡ ଜିଲ୍ଲା ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନରେ ଏକ ଜାତୀୟ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯିବ ବୋଲି ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି । ପଶ୍ଚିମ ଓଡିଶାର ହସ୍ତତନ୍ତ ବିଶ୍ଵ ବିଦିତ । ଏହି ଜାତୀୟସ୍ତରୀୟ ସମ୍ମିଳନୀ ବମକାଇ , ପଶାପାଲି ଓ ସମ୍ବଲପୁରୀ ବାନ୍ଧ , ସୋନପୁରୀ ଶାଢିକୁ ଲୋକଲୋଚନକୁ ଆଣିବା , ନୂତନ ଓ ଅଭିନବ ଡିଜାଇନକୁ ପରିଚିତି ଦେବା , ହସ୍ତତନ୍ତ ବୁଣାକାରଙ୍କ ପାଇଁ ବଜାର ସୃଷ୍ଟି କରିବା , ହସ୍ତଶିଳ୍ପ ଯନ୍ତ୍ରପାତିର ଆଧୁନିକୀକରଣ ଆଦିରେ ସହାୟକ ହେବ ।

ଆଜିର ସମୀକ୍ଷା ବୈଠକରେ ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜର ଉନ୍ନତିକରଣ , ବରପାଲିସ୍ଥିତ ଗଙ୍ଗାଧର ସ୍ମାରକୀ ପାର୍କ ଓ ପଦମପୁରରେ ବନ୍ଧ ନିର୍ମାଣର ସମ୍ପୂର୍ଣ୍ଣକରଣ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପର କାମ ସାରିବାକୁ ଡବ୍ଲୁଓଡିସି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ , ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର , ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ଉପସ୍ଥିତ ଥିଲେ ।