ନିଖୋଜ ବ୍ୟାଙ୍କ ମ୍ୟାନେଜର ଗଞ୍ଜାମ ଜିଲ୍ଲା ଗିରିସୋଲାରୁ ଠାବ | News Room Odisha

ନିଖୋଜ ବ୍ୟାଙ୍କ ମ୍ୟାନେଜର ଗଞ୍ଜାମ ଜିଲ୍ଲା ଗିରିସୋଲାରୁ ଠାବ

ବ୍ରହ୍ମପୁର – କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କର ନିଖୋଜ ମ୍ୟାନେଜର ତପନ କୁମାର ସାହୁଙ୍କୁ ଆଜି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୋଲିସ ଗିରିସୋଲା ନିକଟରୁ ଉଦ୍ଧାର କରିଛି। ବର୍ତ୍ତମାନ ସେ ଗୋଳନ୍ଥରା ଥାନା ହେପାଜତରେ ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ତପନ ଗତ ଶନିବାର ବ୍ରହ୍ମପୁରରେ ଥିବା ତାଙ୍କ ଶ୍ବଶୁରଘରକୁ ଆସିଥିଲେ। ଗତ ସୋମବାର ଦିନ ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ହେଲେ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କର କୌଣସି ଖୋଜଖବର ମିଳିନଥିଲା। ଏଣୁ ପରିବାରବର୍ଗ କଟକ ବୈଦେଶ୍ବର ଥାନାରେ ଏତଲା ଦେଇଥିଲେ। ପୋଲିସ ତାଙ୍କର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ତପନଙ୍କୁ ୧୬ ନମ୍ବର ଜାତୀୟ ଗିରିସୋଲା ନିକଟରୁ ପୋଲିସ ତାଙ୍କୁ ଠାବ କରିଛି। ତେବେ ସେ କାହିଁକି ଓ କେଉଁଆଡ଼େ ଯାଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।