ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ ୨୦୨୩ : ଭୁବନେଶ୍ୱରକୁ ପୂର୍ବାଞ୍ଚଳର ବେଷ୍ଟ ସ୍ମାର୍ଟ ସିଟି ପୁରସ୍କାର | News Room Odisha

ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ ୨୦୨୩ : ଭୁବନେଶ୍ୱରକୁ ପୂର୍ବାଞ୍ଚଳର ବେଷ୍ଟ ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ଵର – ଭୁବନେଶ୍ବରକୁ ମିଳିଲା ସମ୍ମାନଜନକ ‘ ବେଷ୍ଟ ସ୍ମାର୍ଟ ସିଟି ଆୱାର୍ଡ । ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ – ୨୦୨୩ରେ ଭୁବନେଶ୍ୱରକୁ ପୂର୍ବାଞ୍ଚଳର ବେଷ୍ଟ ସ୍ମାର୍ଟ ସିଟି ପୁରସ୍କାର ଦିଆଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ମାନ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ସହରାଂଚଳ ରୂପାନ୍ତରୀକରଣ ଏବଂ ସହରକୁ ଗଢିବାରେ ଅଦମ୍ୟ ଚେଷ୍ଟା , ସୃଜନଶୀଳତା , ଦୀର୍ଘ ମିଆଦୀ ଅନ୍ତର୍ଭୁକ୍ତିକରଣ ବିକାଶର ପ୍ରତିଫଳନର ସ୍ୱରୂପ । ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସହଭାଗୀ ଅନୁଷ୍ଠାନ ହନିୱେଲ ଅଟୋମେସନକୁ ମିଳିଛି ‘ ପାର୍ଟନର ଏମ୍ଏସ୍ଏଆଇ ସମ୍ମାନ ’ । ସ୍ମାର୍ଟ ସିଟି କାମର ଅଗ୍ରଗତି ସହ ଏହାର ନବୀକରଣ ଏବଂ ଉତ୍କର୍ଷତା , ଗୋଷ୍ଠୀ ଉପରେ ପୂର୍ଣ୍ଣ ପ୍ରଭାବ ପକାଇପାରିଛି । ପାରଦର୍ଶିତା ଓ ପ୍ରତିବଦ୍ଧତା ପାଇଁ ଏହି ସମ୍ମାନ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରଠାରେ ଅନୁଷ୍ଠିତ ଇଣ୍ଡିଆ ସ୍ମାର୍ଟ ସିଜିଜ୍ କନକ୍ଲେଭ – ୨୦୨୩ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ , ସ୍ମାର୍ଟ ସିଟି ଲିମିଟେଡ ( ବିଏସ୍ସିଏଲ୍ ) ର ଜେନେରାଲ ମ୍ୟାନେଜର ସୁବ୍ରତ କୁମାର ବେହେରାଙ୍କ ସମେତ ଟିମ୍ ବିଏମ୍‌ସି , ଟିମ୍ ବିଏସ୍‌ସିଏଲ୍‌ ଏବଂ ହନିୱେଲର ସଦସ୍ୟମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସ୍ମାର୍ଟ ସିଟି କନକ୍ଲେଭ ଏକ ବହୁ ପ୍ରତୀକ୍ଷିତ ବାର୍ଷିକ କାର୍ଯ୍ୟକ୍ରମ । ଭାରତର ପ୍ରତ୍ୟେକ ଅଂଚଳର ସରକାରୀ କର୍ମଚାରୀ , ଯୋଜନା ପ୍ରଣୟନକାରୀ , ଶିଳ୍ପପତି , ବିଶେଷଜ୍ଞ ଆଦିଙ୍କୁ ଏକତ୍ର କରିବାରେ ଏହି ସମ୍ମାନଜନକ କନକ୍ଲେଭ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ସ୍ମାର୍ଟ ସିଟି କନକ୍ଲେଭରେ ଅତ୍ୟାଧୁନିକ ଜ୍ଞାନକୌଶଳ , ରଣନୀତି , ସୃଜନଶୀଳତା ଇତ୍ୟାଦି ଆଲୋଚନା ସମସ୍ତଙ୍କୁ ଉତ୍ସାହିତ କରିଥାଏ । ଅଂଶ ଗ୍ରହଣକାରୀମାନଙ୍କ ପାଇଁ ଜ୍ଞାନ କୌଶଳ ଆଦାନ ପ୍ରଦାନର ଏକ ଉତ୍ତମ ବ୍ୟବସ୍ଥା । ଏଥିରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ଅଧିବେଶନରେ ଯୋଗ ଦେଇ ନୀତି ନିର୍ଦ୍ଧାରଣ ବାବଦରେ ଆଲୋଚନା , ସହରାଂଚଳ ବିକାଶ ସଂପର୍କିତ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରଦର୍ଶନ ଏବଂ ଫଳପ୍ରଦ ସହରୀ ବିକାଶ ପ୍ରକଳ୍ପର ଉପସ୍ଥାପନାର ସୁଯୋଗ ପାଇଥାନ୍ତି ।

ଭୁବନେଶ୍ବର ପରମ୍ପରା ଏବଂ ଆଧୁନିକତାର ବନ୍ଧନ ସ୍ଵରୂପ ନିଜକୁ ଏକ ଅଗ୍ରଣୀ ରୂପାନ୍ତରୀକରଣ ସହରାଂଚଳ ଭାବେ ପ୍ରତିପାଦନ କରିପାରିଛି । ସ୍କାର୍ଟ ସିଟି ପଦକ୍ଷେପ ଦ୍ବାରା ସହରାଂଚଳ ଯୋଜନା , ଭିତ୍ତିଭୂମିର ବିକାଶ ଏବଂ ଦୀର୍ଘ ସ୍ଥାୟୀତ୍ୱକୁ ନିଶ୍ଚିତ କରାଯାଇ ପାରିଛି । ନାଗରିକ ସୁଲଭ ରାସ୍ତା , ଦକ୍ଷ ବର୍ଜ୍ୟ ପରିଚାଳନା , ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ମାର୍ଟ ସଲ୍ୟୁସନ ବ୍ୟବସ୍ଥା , ଭୁବନେଶ୍ବରବାସୀଙ୍କ ଜୀବନ ଶୈଳୀକୁ ସମୃଦ୍ଧ କରିପାରିଛି । ଗୋଷ୍ଠୀ ସହଭାଗିତା ଏବଂ ଅନ୍ତର୍ଭୁକ୍ତି କରଣ ବିକାଶ ଏହି ସହରର ଦୃଢ ଭବିଷ୍ୟତ ଗଢିବାରେ ସହାୟକ ହୋଇପାରିଛି । ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଏହି ସ୍ବୀକୃତି ଆମ ସୃଜନଶୀଳତା ପ୍ରତିପାଦନ କରିବାର ଅଦମ୍ୟ ଚେଷ୍ଟା ଏବଂ ବଦ୍ଧପରିକରତାର ଏକ ପ୍ରମାଣପତ୍ର ସ୍ବରୂପ ଯାହା ଅନ୍ତର୍ଭୁକ୍ତିକରଣ ଏବଂ ଦୀର୍ଘସ୍ଥାୟୀ ସହରାଂଚଳ ବିକାଶର ଏକ ପ୍ରତିଫଳନ । ତେବେ ଏହି ସଫଳତା ପଛରେ ଆମର ଗୋଷ୍ଠୀ ସମୁଦାୟଙ୍କ ଅକୁଣ୍ଠ ଯୋଗଦାନ , ଉତ୍ସର୍ଗୀକୃତ ଟିମ୍ ମେମ୍ବର ଏବଂ ଦୂରଦୃଷ୍ଟି ସଂପନ୍ନ ସହଭାଗୀ ସଂଗଠନଙ୍କ ଭୂମିକା ପ୍ରଶଂସନୀୟ । ଭୁବନେଶ୍ବର ସ୍ମାର୍ଟ ସିଟି କେବଳ ଗୋଟିଏ ପ୍ରକଳ୍ପରେ ସୀମିତ ନୁହେଁ ବରଂ ଏହା ଏକ ଦୂରଦୃଷ୍ଟି ସଂପନ୍ନ ସହରାଞ୍ଚଳ ଜୀବନ ଧାରାକୁ ଉଜ୍ଜୀବିତ କରିଛି । ଭାରତର ସହରାଂଚଳ ବିକାଶରେ ଭୁବନେଶ୍ୱରକୁ ଏକ ଜାଜ୍ଜୁଲ୍ୟମାନ ସହରରେ ପରିଣତ କରି ଏହାର ଆଧୁନିକ ଏବଂ ସୁଗମ ବାସୋପଯୋଗିତାକୁ ନାଗରିକ କୈନ୍ଦ୍ରୀକ କରିବା ଲକ୍ଷ୍ୟରେ ଆମେ ଦୃଢ ଭାରେ ଆଗେଇ ଚାଲିଛୁ । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ବଲୱନ୍ତ ସିଂ ବିଏସ୍ ସିଏଲ୍ ଟିମର ଅଦମ୍ୟ ଚେଷ୍ଟା ଏବଂ ତତ୍ପରତାକୁ ପ୍ରସଂଶା କରିବା ସହ ଏହି ପ୍ରକାର ସଫଳତା ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି ।