ପୋଲିସକୁ ବ୍ୟାଙ୍କ ମ୍ୟାନେଜରଙ୍କ ବୟାନ: ନିଜ ଇଚ୍ଛାରେ ନିଖୋଜ ହୋଇଯାଇଥିଲେ | News Room Odisha

ପୋଲିସକୁ ବ୍ୟାଙ୍କ ମ୍ୟାନେଜରଙ୍କ ବୟାନ: ନିଜ ଇଚ୍ଛାରେ ନିଖୋଜ ହୋଇଯାଇଥିଲେ

କଟକ – କଟକ ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ସ୍ୱଇଚ୍ଛାରେ ନିଖୋଜ ହୋଇଯାଇଥିଲେ । ପଚରାଉଚରା ବେଳେ ଏ କଥା ସେ ପ୍ରକାଶ କରିଛନ୍ତି ବୋଲି କଟକ ଏଏସପି ଦେବଦତ୍ତ ବରାଳ କହିଛନ୍ତି। ତପନଙ୍କୁ ଠାବ ସଂପର୍କରେ ଅତିରିକ୍ତ ଏସ୍‌ପି କହିଛନ୍ତି ଯେ, ଗତକାଲି ସଂଧ୍ୟାରେ ଗଞ୍ଜାମ ଜିଲ୍ଲାର ଗିରିଶୋଲା ଗେଟ୍‌ଠାରେ ତପନଙ୍କୁ ଠାବ କରିଥିଲା ପୋଲିସ। ତାଙ୍କର ୧୬୧ ବୟାନ ରେକର୍ଡ ହୋଇଥିବା ବେଳେ ୧୬୪ ରେକର୍ଡ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମାନସିକ ଚାପ କାରଣରୁ ନିଜ ଇଚ୍ଛାରେ ତପନ ପଳାଇ ଯାଇଥିଲେ । ପତନି ଛକ ପରେ ପୁଣି ପଛକୁ ଫେରି ବିଶାଖାପାଟଣା ପଳାଇଥିବା ସେ କହିଛନ୍ତି । ତେବେ କେଉଁ କାରଣରୁ ତପନ ମାନସିକ ଚାପରେ ଥିଲେ, ତାହାର ତଦନ୍ତ କରାଯିବ । ତେବେ ତାଙ୍କ ସହ କୌଣସି ଅପରାଧ ଘଟିନାହିଁ କହିଲେ ଅତିରିକ୍ତ ଏସ୍‌ପି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଶନିବାର ବ୍ରହ୍ମପୁରରେ ଥିବା ତାଙ୍କ ଶ୍ବଶୁର ଘରକୁ ଆସିଥିଲେ ତପନ । ଗତ ସୋମବାର ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ହେଲେ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କର କୌଣସି ଖୋଜଖବର ମିଳିନଥିଲା। ଏଣୁ ପରିବାରବର୍ଗ କଟକ ବୈଦେଶ୍ବର ଥାନାରେ ଏତଲା ଦେଇଥିଲେ। ପୋଲିସ ତାଙ୍କର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ତପନଙ୍କୁ ୧୬ ନମ୍ବର ଜାତୀୟ ଗିରିସୋଲା ନିକଟରୁ ପୋଲିସ ଠାବ କରିଥିଲା ।