ଆଜି ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ଅକ୍ଟୋବର ତିନି ଯାଏଁ ରାଜ୍ୟରେ ବର୍ଷିବ | News Room Odisha

ଆଜି ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ଅକ୍ଟୋବର ତିନି ଯାଏଁ ରାଜ୍ୟରେ ବର୍ଷିବ

ଭୁବନେଶ୍ୱର – ମିଆଁମାର ଓ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଉତ୍ତର ଓଡ଼ିଶା ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଆଡ଼େ ଗତି କରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ୩୦ ସେପ୍ଟେମ୍ବରରୁ ୩ ଅକ୍ଟୋବର ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା (୭ରୁ୧୧ ସେ.ମି.) ଏବଂ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆଜି ଓ ଆସନ୍ତାକାଲି ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏ ନେଇ ୟେଲୋ
ୱ।ର୍ଣ୍ଣିଂ ଜାରି କରାଯାଇଛି। ଅକ୍ଟୋବର ପହିଲାରୁ ବର୍ଷା ପରିମାଣ ବଢ଼ିବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ଅନୁଗୋଳ ଜିଲାରେ ଅଧିକ ବର୍ଷା ହେବ। ୩ ତାରିଖ ଯାଏଁ ଏପରି ପାଣିପାଗ ଲାଗି ରହିବ।