ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର : ୨୫୯ ଜଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ  | News Room Odisha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର : ୨୫୯ ଜଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ 

ଭୁବନେଶ୍ୱର – ଗାନ୍ଧି ଜୟନ୍ତୀ ଅବସରରେ ଭୁବନେଶ୍ୱର ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଦ୍ଵାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୭୨ଜଣ ଶ୍ରମିକଙ୍କ ଉତ୍ତରାଧିକାରୀ / ମନୋନୀତ ବ୍ୟକ୍ତିଙ୍କୁ ମୃତ୍ୟୁକାଳୀନ ଓ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୭୫ , ୭୦ , ୦୦୦ ଟଙ୍କା , ବିବାହକାଳିନ ସହାୟତା ବାବଦରେ ୭୨ ଜଣଙ୍କୁ ୩୪ , ୫୦ , ୦୦୦ ଟଙ୍କା ସହାୟତା ରାଶି , ଶିକ୍ଷା ସହାୟତା ବାବଦରେ ୧୦୭ ଜଣଙ୍କୁ ୭ , ୬୭ , ୦୦୦ . ଟଙ୍କା , ପ୍ରସବକାଳୀନ ସହାୟତା ବାବଦରେ ୮ ଜଣଙ୍କୁ ୮୦ , ୦୦୦ ଟଙ୍କା, ସର୍ବମୋଟ ୨୫୯ ଜଣଙ୍କୁ ୧ , ୧୮ , ୬୭ , ୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ଵେତାସ୍ନିଗ୍ଧା ମିଶ୍ର , ମୁଖ୍ୟ ଅତିଥି ଏବଂ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ , ଓଡ଼ିଶାର ଶ୍ରମ ଆୟୁକ୍ତ ଡାକ୍ତର ଏନ .ତିରୁମାଲା ନାୟକ ଓ ଅତିରିକ୍ତ ଶ୍ରମ ଆୟୁକ୍ତ ନୀଳାମ୍ବର ମିଶାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୨୪୩ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା ।

ଶିବିରକୁ ପ୍ରଭଗୀୟ ଶ୍ରମ ଆୟୁକ୍ତ , ଭୁବନେଶ୍ଵର ପ୍ରଣବ କୁମାର ପାତ୍ର ପରିଚାଳନା କରିଥିଲେ । ସହକାରୀ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ଵାଳ ସ୍କିମ ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ । ସହକାରୀ ଶ୍ରମ ଅଧିକାରୀ ରଶ୍ମିତା କୁମାରୀ ପାତ୍ର , ବିକାଶ କୁମାର ନାୟକ ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଓ ଡାଟା ଏଣ୍ଟ୍ରି ଅପରେଟର ଶିବ ପ୍ରସାଦ ମହାପାତ୍ର ଯୋଗଦେଇଥିଲେ । ପରିଶେଷରେ ପିପାସା ମହାପାତ୍ର , ସହକାରୀ ଶ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।