ଆଜି ବିଧାନସଭାରେ ଆସିବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ | News Room Odisha

ଆଜି ବିଧାନସଭାରେ ଆସିବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ବର – ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ଗୃହରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଲ୍ ଉପରେ ଆଜି ଗୃହରେ ଆଲୋଚନା ସହ ଗୃହୀତ ହେବ । ଗତ ସପ୍ତାହରେ ଅଧିକାଂଶ କାର୍ଯ୍ୟଦିବସରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ ଠିକ୍ ଭାବେ ଚାଲି ପାରୁନାହିଁ । ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରୁନାହିଁ। ଅଧିବେଶନ ଶେଷ ହେବାକୁ ଯାଉଥିଲେ ହେଁ ଗୋଟିଏ ବି ମୁଲତବୀ ଆଲୋଚନା ହୋଇପାରି ନାହିଁ। ଏ ଦୃଷ୍ଟିରୁ ଆଜି ବିରୋଧୀ ଓ ଶାସକଦଳର ରଣନୀତି କ’ଣ ରହୁଛି ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକ କିଭଳି ଗୃହ ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଚଳିତ ଅଧିବେଶନର ପ୍ରଥମ ଦିନରେ ହିଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ଏହାପୂର୍ବରୁ ଚଳିତବର୍ଷ ଲାଗି ୨ କୋଟି ୩୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଥିଲା। ଆଜି ଅତିରିକ୍ତ ବଜେଟ ପାରିତ ହେଲାପରେ ରାଜ୍ୟର ସମୁଦାୟ ବଜେଟ ଆକାର ୨ ଲକ୍ଷ ୫୮ହଜାର ୨୦୦ କୋଟି ଟଙ୍କାକୁ ଛୁଇଁବ। ଗତ ୨୮ ତାରିଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇ ଗୃହୀତ ହୋଇଥିବା ବେଳେ ୩୦ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ପାରିତ ହୋଇଥିଲା। ଏହାସହ ବଳକା ୪୦ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗିଲୋଟିନ୍ ଜରିଆରେ ଗୃହରେ ପାରିତ ହୋଇଥିଲା।