ଦିଗପହଣ୍ଡି ବ୍ଲକ୍ ଅଧ୍ଯକ୍ଷ ଉପନିର୍ବାଚନ ଆଜି: ସୁରକ୍ଷାରେ ୪ ପ୍ଲାଟୁନ୍‌ ଫୋର୍ସ | News Room Odisha

ଦିଗପହଣ୍ଡି ବ୍ଲକ୍ ଅଧ୍ଯକ୍ଷ ଉପନିର୍ବାଚନ ଆଜି: ସୁରକ୍ଷାରେ ୪ ପ୍ଲାଟୁନ୍‌ ଫୋର୍ସ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଅଧ୍ଯକ୍ଷ ଉପନିର୍ବାଚନ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ଯରେ ନାମାଙ୍କନ ଦାଖଲ, ଅପରାହ୍ନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ଯାଞ୍ଚ ଓ ମଧ୍ଯାହ୍ନ ୧୨ଟା ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର ଅବଧି ଧାର୍ଯ୍ୟ ହୋଇଛି। ଆବଶ୍ୟକ ସ୍ଥଳେ ଅପରାହ୍ନ ସାଢ଼େ ୧୨ଟାରୁ ୨ଟା ମଧ୍ଯରେ ଭୋଟଦାନ ହେବ। ଏହା ପରେ ଭୋଟ ଗଣତି ସହ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଓ ଚର୍ଚ୍ଚିତ ହୋଇ ସାରିଥିବା ଏହି ଉପନିର୍ବାଚନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଣେ ଏଏସ୍‌ପି, ଦୁଇ ଜଣ ଡିଏସ୍‌ପି, ତିନି ଜଣ ଇନିସପେକ୍ଟରଙ୍କ ସହ ଚାରି ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌। ପ୍ରାର୍ଥୀ ଓ ଭୋଟର (ସମିତି ସଭ୍ୟ ସଭ୍ୟା)ଙ୍କ ସୁରକ୍ଷା ତଥା ଆଇନଶୃଙ୍ଖଳା ରକ୍ଷା ଦିଗ ପ୍ରତି ପୋଲିସର ଅଧିକ ଗୁରୁତ୍ଵ ରହିଛି। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏହି ପଦ ପୂରଣ ପାଇଁ ଅଗଷ୍ଟ ୩୧ ତାରିଖ ନିର୍ବାଚନ ଧାର୍ଯ୍ୟ ହୋଇଥିଲା। ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଠିକ୍ ସେହିଦିନ ଆଇନଶୃଙ୍ଖଳା ଦୃଷ୍ଟିରୁ ବାତିଲ କରାଯାଇଥିଲା।

ପୂର୍ବତନ ବାଚସ୍ପତି ସ୍ଵର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଓ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନଙ୍କ ଗୋଷ୍ଠୀ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଏହି ପଦ ସକାଶେ ମଇଦାନକୁ ଓହ୍ଲାଉଛନ୍ତି। ଭୋଟ ପୂର୍ବରୁ ସମସ୍ତେ ଅଜ୍ଞାତବାସରେ ରହିଥିବା ଘଟଣା ରୋଚକ ହୋଇଥିଲା। ଦିଗପହଣ୍ତି ବ୍ଲକ୍‌ରେ ୨୫ଟି ପଞ୍ଚାୟତ ଥିବାରୁ ଯିଏ ୧୩ ଜଣଙ୍କ ସମର୍ଥନ ହାସଲ କରିବା ସେ ବିଜୟୀ ହେବ। ନିମଖଣ୍ଡିପେଣ୍ଠ ସମିତିସଭ୍ୟ ଏକ ଅପରାଧିକ ମାମଲାରେ ଜେଲ୍‌ରେ ଅଛନ୍ତି ଏଣୁ ୨୪ ଜଣ ସମିତିସଭ୍ୟ ଏହି ଉପନିର୍ବାଚନରେ ଭାଗ ନେବେ।