ଓଡ଼ିଶାକୁ ଗର୍ବିତ କଲେ କିଶୋର ଜେନା, ଏସୀୟ କ୍ରୀଡା ଜାଭେଲିନରେ ଜିତିଲେ ରୌପ୍ୟ, ନୀରଜଙ୍କୁ ସ୍ୱର୍ଣ୍ଣ | News Room Odisha

ଓଡ଼ିଶାକୁ ଗର୍ବିତ କଲେ କିଶୋର ଜେନା, ଏସୀୟ କ୍ରୀଡା ଜାଭେଲିନରେ ଜିତିଲେ ରୌପ୍ୟ, ନୀରଜଙ୍କୁ ସ୍ୱର୍ଣ୍ଣ

ହାଙ୍ଗଝୁ – ଏସୀୟ କ୍ରୀଡାରେ ଓଡ଼ିଶାର ଜାଭେଲିନ ତାରକା କିଶୋର ଜେନା ରୌପ୍ୟ ପଦକ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଜାଭେଲିନ ଫାଇନାଲରେ କିଶୋର  ରୌପ୍ୟ ପଦକ ହାସଲ କରିଥିଲେ । ବିଶ୍ୱ ଓ ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ ଏସୀୟ କ୍ରୀଡାରେ ମଧ୍ୟ ନୀରଜ ସ୍ୱର୍ଣ୍ଣ ହାସଲ କରିଥିଲେ । ଓଡ଼ିଶାର କିଶୋର ଜେନା ରୌପ୍ୟ ପଦକ ଜିତିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏ ବର୍ଷ ବୁଦାପେଷ୍ଟ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ କିଶୋର ଜେନା ପ୍ରଶଂସନୀୟ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିଲେ। ଆଜିର ଜାଭେଲିନ ଫାଇନାଲରେ କିଶୋର ଜେନାଙ୍କ ଶ୍ରେଷ୍ଠ ଥ୍ରୋ ଥିଲା ୮୭ ଦଶମିକ ୫୪ ମିଟର । ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ କିଶୋରଙ୍କ ଶ୍ରେଷ୍ଠ ଥ୍ରୋ ଥିଲା ୮୬ ଦଶମିକ ୭୭ ମିଟର । ପ୍ରଥମ ଥର ପାଇଁ ଏସୀୟ କ୍ରୀଡାର ଜାଭେଲିନ ଥ୍ରୋରେ ଭାରତୀୟ ପ୍ରତିଯୋଗୀମାନେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।