ଆଜିଠୁ ଭାରତରେ ବିଶ୍ୱକପ୍ କ୍ରିକେଟ : ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଉଦଘାଟନୀ ମ୍ୟାଚ | News Room Odisha

ଆଜିଠୁ ଭାରତରେ ବିଶ୍ୱକପ୍ କ୍ରିକେଟ : ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଉଦଘାଟନୀ ମ୍ୟାଚ

ଅହମ୍ମଦାବାଦ – ଏକଦିବସୀୟ କ୍ରିକେଟ୍ ର ବିଶ୍ୱ ମହାକୁମ୍ଭର କ୍ରିକେଟ ବିଶ୍ୱକପ ଆଜିଠାରୁ ଆରମ୍ଭ ହେଉଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତଥରର ଚାମ୍ପିୟନ ଇଂଲଣ୍ଡ ଓ ରନର୍ସଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ସହ ଆଇସିସି କ୍ରିକେଟ ବିଶ୍ୱକପର ଶୁଭାରମ୍ଭ ହେବ । ଏହା ହେଉଛି ବିଶ୍ୱକପର ୧୩ତମ ସଂସ୍କରଣ। ଭାରତରେ ହିଁ ଖେଳାଯିବ ସମସ୍ତ ମ୍ୟାଚ । ୪୨ ଦିନରେ ଭାରତର ୧୦ଟି ଷ୍ଟାଡିୟମରେ ମୋଟ ୪୮ଟି ମ୍ୟାଚ ଖେଳାଯିବ । ଏଥର ବିଶ୍ୱକପରେ ୧୦ଟି ଦଳ ଭାଗ ନେଉଛନ୍ତି। ଫର୍ମାଟରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ରାଉଣ୍ଡ ରବିନ ଲିଗରେ ମ୍ୟାଚ ଖେଳାଯିବ । ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । ଏଥର ଆୟୋଜକ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଟାଇଟଲର ପ୍ରବଳ ଦାବିଦାର ବୋଲି କୁହାଯାଉଛି । ପାକିସ୍ତାନର ସମ୍ଭାବନାକୁ ବି ଏଡାଇ ଦେଇ ହେବ ନାହିଁ। ଭାରତ ବର୍ତ୍ତମାନ ବିଶ୍ୱର ଏକ ନମ୍ୱର କ୍ରିକେଟ ଦଳ ଭାବେ ବିଶ୍ୱକପ ଖେଳିବ । ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ରୋହିତ ଶର୍ମା ଆଣ୍ଡ୍ କୋ ।

ଦୁଇଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜ ଏଥରର ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିପାରିନାହିଁ। ଏଥର ବିଶ୍ୱକପର ବିଜେତାଙ୍କୁ ୩୩ କୋଟିରୁ ଅଧିକ ଟଙ୍କାର ଅର୍ଥ ପୁରସ୍କାର ମିଳିବ । ରନର୍ସଅପ ଟିମକୁ ମିଳିବ ୧୬ କୋଟିରୁ ଅଧିକ ଟଙ୍କାର ପୁରସ୍କାର। ନଭେମ୍ବର ୧୫ରେ ପ୍ରଥମ ଓ ୧୬ରେ ଦ୍ୱିତୀୟ ସେମିଫାଇନାଲ ଏବଂ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ।