୬ରୁ ୨୨ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା | News Room Odisha

୬ରୁ ୨୨ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା

ଛତ୍ରପୁର: ଆସନ୍ତା ୬ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ପାଳିତ ହେବ। ଏହି ଷୋଡ଼ଶ ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବାରେ ଲାଗିପଡିଛି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ। ମନ୍ଦିରର ସଫେଇ ସଠିକ ଭାବେ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗତଥର ଦୀପ ପ୍ରଜ୍ବଳନ ସ୍ଥାନରେ ଛୋଟ ଅଘଟଣ ହୋଇଥିଲା। ଏଥର ସେଭଳି କୋୖଣସି ଅଘଟଣକୁ ଦୂରେଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ମନ୍ଦିରରେ ମୁତୟନ କରାଯିବ। ସେହି ସ୍ଥାନରେ ଦୀପ ଜାଳିବାକୁ ବାରଣ କରାଯାଇ ସୁରକ୍ଷିତ ସ୍ଥାନରେ ଦୀପ ଜାଳିବାକୁ କୁହାଯିବ।

ଏଥିପାଇଁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ମା’ଙ୍କ ବେଶ ସହ ଚଣ୍ଡିପାଠ ୧୬ ଦିନ ପର୍ଯ୍ୟନ୍ତ ଆୟୋଜନ ସହ ଅନ୍ୟ ସବୁ ପ୍ରସ୍ତୁତି ବାବଦରେ ବୈଠକରେ ଆଲୋଚନା ହୋଇଥିଲା। ଷୋଡ଼ଶ ପୂଜା ବେଳେ ମା’ଙ୍କ ରୀତିନୀତି ଯେପରି ସଠିକ ସମ୍ପନ୍ନ ହେବ ସେନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ଦିନ ଶହେ ଜଣ ମହିଳା ମନ୍ଦିର ଉପରକୁ କଳସ ପାଣି ନେଇକି ଯିବେ, ତେଣୁ ସମସ୍ତ ପାହାଚ ସଫା ସହ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବ। ପ୍ରସ୍ତୁତି ବୈଠକରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ଅନ୍ୟ ଅଧିକାରୀଙ୍କ ସମେତ ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ସେବାୟତ ସଂଘ ସଭାପତି ତପନ ରଣା, ମୁଖ୍ୟ ପୂଜକ ବାପୁଜୀ ରଣା ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।